ନକଲି ଶିକ୍ଷକଙ୍କୁ ବହିଷ୍କାର ନିର୍ଦ୍ଦେଶ

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ଜିଲାପରିଷଦ ସମ୍ମିଳନୀ କକ୍ଷରେ ଷଷ୍ଠ ଜିଲାପରିଷଦର ଚତୁର୍ଥ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲାପରିଷଦ ଅଧ୍ୟକ୍ଷ ନାରାୟଣଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଭଦ୍ରକ ଏମ୍‌ପିଙ୍କ ପ୍ରତିନିଧି ଅଶ୍ୱନୀ ମହାପାତ୍ର, ବାଲେଶ୍ୱର ଏମ୍‌ପିଙ୍କ ପ୍ରତିନିଧି ଉମାକାନ୍ତ ମହାପାତ୍ର, ନୀଳଗିରି ବିଧାୟକଙ୍କ ପ୍ରତିନିଧି ଗଙ୍ଗାଧର ମିଶ୍ର ପ୍ରମୁଖ ଯୋଗଦେଇ ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ସେଗୁଡ଼ିକର ସଫଳ ରୂପାୟନରେ ଦେଖାଦେଉଥିବା ସମସ୍ୟା ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ।
ପୂର୍ବ ବୈଠକର ବିବରଣୀ ପ୍ରଦାନ ପରେ ୨୫ଟି ବିଭାଗର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଶିକ୍ଷା ବିଭାଗରେ ଆଲୋଚନା ସହ ଆସନ୍ତା ମେ’ ସୁଦ୍ଧା ବାକି ରହିଥିବା ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଶେଷ କରି ଜିଲାର ୧୨ଟି ବ୍ଲକରେ ଶିକ୍ଷାଦାନ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବିଭିନ୍ନ ବ୍ଲକରେ ଶିକ୍ଷକତା କରୁଥିବା ୧୨ଜଣ ନକଲି ଶିକ୍ଷକଙ୍କୁ ବହିଷ୍କାର ପାଇଁ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଜିଲାର ୧୨ଟି ବ୍ଲକରୁ ୫ଟି ବ୍ଲକରେ ଖାଲି ପଡ଼ିଥିବା ବିଇଓଙ୍କ ପଦବୀ ପୂରଣ ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ବିଭାଗ ଉପରେ ଆଲୋଚନାରେ ଆସନ୍ତା ୨ ମାସ ମଧ୍ୟରେ ଜିଲାରେ ୨ଶହ ନୂଆ ଡାକ୍ତର ନିଯୁକ୍ତି ଉପରେ ପ୍ରତିନିଧିମାନେ ଗୁରୁତ୍ୱାରୋପ କରିଥିଲେ। ଖାଦ୍ୟ ଓ ଯୋଗାଣ ବିଭାଗ ସମ୍ପର୍କରେ ଆଲୋଚନାରେ ଜିଲାର ମୋଟ୍‌ ପିଏଚ୍‌ଏଚ୍‌ ଯୋଜନାରେ ୪,୧୩,୭୦୮ ପରିବାରକୁ କାର୍ଡ଼ ଯୋଗାଇ ଦିଆଯାଇ ୧୫,୭୬,୦୪୨ଜଣ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। କୃଷି ଓ ଉଦ୍ୟାନ ବିଭାଗ ଦ୍ୱାରା ୨୦୨୨-୨୩ଆର୍ଥିକ ବର୍ଷରେ ଖରିଫ ଚାଷ ପାଇଁ ୨,୧୯,୬୭୦ହେକ୍ଟର ଜମି ଲକ୍ଷ୍ୟ ଧାଯର୍‌ୟ କରାଯାଇଥିବା ବେଳେ ୨,୧୫,୩୪୦ ହେକ୍ଟର ଜମିରେ ଚାଷ ଲକ୍ଷ୍ୟ ହାସଲ ହୋଇପାରିଛି ବୋଲି ଅଧିକାରୀ ସୂଚନା ଦେଇଥିଲେ। ଏମ୍‌ଜିଏନଆରଇଜିଏସ୍‌ ସମେତ ଅନ୍ୟାନ୍ୟ ଯୋଜନା ଉପରେ ଆଲୋଚନା ହୋଇଥିଲା। ଜିଲା ପରିଷଦର ସମସ୍ତ ସଦସ୍ୟଙ୍କ ସମେତ ବିଭିନ୍ନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗର ଅଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ବୈଠକ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ ଧନ୍ୟବାଦ ଦେଇଥିଲେ।