Categories: ଜାତୀୟ

ଅଭିଭାଷଣ ବର୍ଜନକଲେ ବିଆର୍‌ଏସ୍‌, ଏଏପି

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବର୍ଜନ କରିଛନ୍ତି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର କେନ୍ଦ୍ରରେ ବିଫଳ ହୋଇଥିବାରୁ ଅଭିଭାଷଣ ବର୍ଜନ କରିବା ପାଇଁ ବିଆର୍‌ଏସ୍‌ ନିଷ୍ପତ୍ତି ନେଇଥିବା କହିଛି। ତେବେ ଜଣେ ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷ ଭାବେ ରାଷ୍ଟ୍ରପତିଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ ବୋଲି ଏହି ଦଳ କହିଛି। ସେହିପରି ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଏଏପି ମଧ୍ୟ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିର ପ୍ରତିବାଦରେ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଭାଷଣକୁ ବର୍ଜନ କରିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନକରି ବିଆର୍‌ଏସ୍‌ ଏବଂ ଏଏପି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏବଂ ଭାରତର ସଂସଦୀୟ ଗଣତନ୍ତ୍ରର ମର୍ଯ୍ୟାଦା ପ୍ରତି ଅପମାନ କରିଛନ୍ତି ବୋଲି ଭାଜପା କହିଛି। ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ପାର୍ଲାମେଣ୍ଟରେ ଅଭିଭାଷଣ ଦେବା ଅଭିନନ୍ଦନୀୟ। ରାଜନୈତିକ ବିରୋଧର ଏକ ସୀମା ରହିଛି ଏବଂ ରାଜନୈତିକ ଦଳଗୁଡ଼ିକ କେତେକ ନିୟମ ପାଳନ କରିବା ଆବଶ୍ୟକ। ବିଆର୍‌ଏସ୍‌ ଏବଂ ଏଏପି ଅଭିଭାଷଣକୁ ବଏକଟ୍‌ କରି ସଂସଦୀୟ ଗଣତନ୍ତ୍ରରେ ଅତ୍ୟନ୍ତ ନିମ୍ନସ୍ତରକୁ ଖସିଯାଇଥିବା ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

Share