ହାଟରେ ମାନୁନାହାନ୍ତି କୋଭିଡ୍‌ କଟକଣା

ଗୋପ,୩।୫(ଡି.ଏନ୍‌.ଏ): କରୋନା କଟକଣାକୁ ନେଇ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଗୋପ ଥାନା ଅଧିନ ନୟାହାଟ ହାଟରେ ତା’ର ବ୍ୟତିକ୍ରମ ଦେଖାଦେଇଛି। ହାଟରେ ଲୋକେ ମାସ୍କ ପିନ୍ଧୁ ନ ଥିବାବେଳେ କାହା ମଧ୍ୟରେ ବି ସାମାଜିକ ଦୂରତ୍ୱ ରହୁ ନାହିଁ। ନୟାହାଟ ହେଉଛି ଗୋପ ବ୍ଲକ ଅଞ୍ଚଳର ଏକ ବଡ଼ ବ୍ୟବସାୟିକ କେନ୍ଦ୍ର। ବିଶେଷ କରି ଏହି ହାଟ ପାନ ଲାଗି ପ୍ରସିଦ୍ଧ। କିନ୍ତୁ ଏହି ହାଟରେ କରୋନା କଟକଣା ରହୁ ନାହିଁ। ସାଧାରଣ ଲୋକଙ୍କଠାରୁ ବ୍ୟବସାୟୀମାନେ ସରକାରୀ କଟକଣା ମାନୁ ନାହାନ୍ତି। ହାଟ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପ୍ରତି ଗୁରୁତ୍ବ ମଧ୍ୟ ନାହିଁ । ନୟାହାଟ ଫାଣ୍ଡି ନିକଟରେ ଏହି ହାଟଟି ଚାଲୁଥିବା ବେଳେ ପୋଲିସ କେବଳ ରବିବାର ସକାଳୁ କେବଳ ମାସ୍କ ପିନ୍ଧିବା ନେଇ କିଛି ଫାଇନ ଆଦାୟ କରି ଚୁପ ରହିଯାଉଛି। ଅପରପକ୍ଷରେ ଏହି ହାଟରୁ ପାନ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରୁ ପାନ ବ୍ୟବସାୟୀମାନେ ମଧ୍ୟ ଆସୁଛନ୍ତି। ଫଳରେ କରୋନା କଟକଣା ପ୍ରତି ଏବେଠାରୁ ଦୃଷ୍ଟି ଦିଆ ନ ଗଲେ ଆଗକୁ ସଂକ୍ରମିତ ହେବ ବୋଲି ଅଭିଯୋଗ ହୋଇଛି। ଏ ନେଇ ଗୋପ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ କହିଛନ୍ତି, ନୟାହାଟ ଫାଣ୍ଡି ଅଞ୍ଚଳରେ ବିଭିନ୍ନ ସମୟରେ କରୋନା କଟକଣାକୁ ନେଇ ଚଢ଼ାଉ ଚାଲିଛି। ତଥାପି କେତେଜଣ ଅମାନିଆ ମାନୁ ନ ଥିବାରୁ ଏବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

 

Share