ସୂଚନା ଅଧିକାର ଆଇନ ଅବମାନନା କରିବା ପଡ଼ିଲା ମହଙ୍ଗା, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜରିମାନା

ଛତ୍ରପୁର,୨୨ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ସୂଚନା ଅଧିକାର ଆଇନକୁ ଅବମାନନା କରିବା ମହଙ୍ଗା ପଡ଼ିଛି। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜରିମାନା ହୋଇଛି।

ସୂଚନାଯୋଗ୍ୟ, ଗଞ୍ଜାମ ବ୍ଲକ ଅଧୀନ ହୁମା ପାଞ୍ଚାୟତର ଯୋଗୀ ବିଶ୍ୱାଳଙ୍କ ପୁଅ ପ୍ରଶାନ୍ତ କୁମାର ବିଶ୍ୱାଳ ୨୪.୦୬.୨୦୨୧ରେ ହୁମା ପଞ୍ଚାୟତର କିଛି ସରକାରୀ ସୂଚନା ପାଇବା ପାଇଁ ହୁମା ପଞ୍ଚାୟତ କାର୍ଯ୍ୟାଳୟରେ କେତେକ ବିଷୟକୁ ନେଇ ସମସ୍ତ ତଥ୍ୟ ମୌଖିକ ଭାବରେ ପ୍ରଦାନ ପାଇଁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ। ସୂଚନା ଅଧିକାର ବଳରେ ମାଗିଥିବା ସୂଚନା ସେ ସମୟର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ସୂଚନା ଦେଇ ନ ପାରିବାରୁ ସୂଚନା ଅଧିକାର କର୍ମୀ ପ୍ରଶାନ୍ତ କୁମାର ବିଶ୍ୱାଳ ସେହି ବର୍ଷ ୧୩. ୦୮. ୨୦୨୧ରେ ଗଞ୍ଜାମ ବ୍ଲକ ବିଡିଓଙ୍କ ପାଖରେ ପ୍ରଥମ ଅପିଲ କରିଥିଲେ। ବ୍ଲକ ଅଧିକାରୀ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ସୂଚନା ପ୍ରଦାନ କଲେ ନାହିଁ କି ଆବେଦନକାରୀଙ୍କ ପ୍ରଥମ ଅପିଲର ଶୁଣାଣି କଲେ ନାହିଁ। ଫଳରେ ପ୍ରଶାନ୍ତ କୁମାର ବିଶ୍ୱାଳ ୨୦୨୨ରେ ରାଜ୍ୟ ସୂଚନା କମିଶନରଙ୍କ ନିକଟରେ ଦ୍ବିତୀୟ ଅପିଲ କରିଥିଲେ। ରାଜ୍ୟ ସୂଚନା କମିଶନର ୨୦୨୨ରେ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ରଙ୍ଗେଇଲୁଣ୍ଡା ବ୍ଲକ କୋଲଥି ପଞ୍ଚାୟତକୁ ସ୍ଥାନାନ୍ତର ହୋଇଥିଲେ। ରାଜ୍ୟ ସୂଚନା କମିଶନର ବାରମ୍ବାର ଚିଠି କରିବା ସତ୍ତ୍ୱେ ସନ୍ତୋଷ କୁମାର ବେହେରା ଅନୁପସ୍ଥିତ ରହିବା ଏବଂ ରାଜ୍ୟ ସୂଚନା କମିଶନରଙ୍କ ନିକଟରେ ଦାଖଲ କରାଯାଇଥିବା ସୂଚନା ସନ୍ତୋଷଜନକ ନ ଥିବା ବେଳେ ଏହା ସୂଚନା ଅଧିକାର ଆଇନକୁ ପଥଭ୍ରଷ୍ଟ କରୁଥିବାର ବିଷୟକୁ କମିଶନ ଅନୁଭବ କରିଥିଲେ। ଏଥି ନେଇ ସଂପୃକ୍ତ ଅଧିକାରୀଙ୍କ ଉପରେ କ’ଣ ପାଇଁ ଜରିମାନା ଆଦାୟ କରାଯିବ ନାହିଁ ଏହାର କାରଣ ଦର୍ଶାଇବାକୁ ରାଜ୍ୟ ସୂଚନା କମିଶନର ନିର୍ଦ୍ଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ୨୦୨୪ ଜାନୁଆରୀ ୧୦ ତାରିଖକୁ ଧାର୍ଯ୍ୟ କରିଥିଲେ। ସୂଚନା ଅଧିକାର କର୍ମୀ ପ୍ରଶାନ୍ତ କୁମାର ବିଶ୍ୱାଳ ୨୦୨୧ରେ ଘଟଣା ବାବଦରେ ତଥ୍ୟ ମାଗିଥିବା ବେଳେ ସେ ଅନୁପସ୍ଥିତ ଥିଲେ। ଉଭୟପକ୍ଷଙ୍କ ଯୁକ୍ତିଙ୍କୁ ବିଚାରକୁ ନେଇ ସୂଚନା ଅଧିକାର ଆଇନର ଅବମାନନା ତଥା ଅନ୍ୟାନ୍ୟ କାରଣକୁ ନେଇ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ଜନସୂଚନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ୧୦,୦୦୦ ଟଙ୍କା ଜରିମାନା ରାଜକୋଷରେ ପଇଠ କରିବାକୁ ରାଜ୍ୟ ସୂଚନା କମିଶନର ତାଙ୍କ ରାୟରେ ଉଲ୍ଲେଖ କରିଥିଲେ। ଉକ୍ତ ଜରିମାନା ୩୦ଦିନ ମଧ୍ୟରେ ରାଜକୋଷରେ ପଇଠ ନ କଲେ ରଙ୍ଗେଇଲୁଣ୍ଡା ବ୍ଲକ ଅଧିକାରୀ ଦୁଇଟି କିସ୍ତିରେ ଉକ୍ତ ଜରିମାନା ସନ୍ତୋଷଙ୍କ ନିକଟରୁ ଆଦାୟ କରି ଏହି ଅର୍ଥ ରାଜକୋଷରେ ଜମା କରିବାକୁ ରାୟ ପ୍ରକାଶ କରିଥିଲେ।