ଚାଷୀଙ୍କୁ କଲବଲ କରୁଛି ପ୍ରଶାସନ

ଖଇରା,୧୦।୨ (ଉତ୍କଳବନ୍ଧୁ ପଣ୍ଡା): କେତେଜଣ ମିଲରଙ୍କ ଅସହଯୋଗ ତଥା ସରକାରୀ ଉଦାସୀନତା କାରଣରୁ ଚଳିତବର୍ଷ ବିଭିନ୍ନ ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏଭଳିକି ପଶ୍ଚିମବଙ୍ଗ ଓ ଆନ୍ଧ୍ର ବ୍ୟବସାୟୀ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ଯେତିକି ଚାଷୀ ଧାନ ଦେଉଛନ୍ତି ଟଙ୍କା ମିଳିବାରେ ଅତ୍ୟଧିକ ବିଳମ୍ବ ଯୋଗୁ ବ୍ୟାଙ୍କକୁ ଦୌଡି ଦୌଡି କଲବଲ ହେଉଛନ୍ତି ା ତୁରନ୍ତ ବ୍ୟବସ୍ଥାରେ ପରିବର୍ତ୍ତନ ନ ହେଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ା
ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତି ତରଫରୁ ଧାନକିଣା ଜାରି ରହିଛି ା ବୁଧବାର ପର୍ଯ୍ୟନ୍ତ ବିଭିନ୍ନ ସମିତିରୁ ମିଳିଥିବା ତଥ୍ୟ ଅନୁଯାୟୀ ଏ ପର୍ଯ୍ୟନ୍ତ ୬ହଜାର ୭୧୯ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିଥିବା ବେଳେ ୫ହଜାର ୯୧୨ଜଣ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ା ୮୦୭ଜଣ ଚାଷୀ ଟଙ୍କା ପାଇଁ ଦୈନିକ ଖଇରା ଶାଖା କାର୍ଯ୍ୟାଳୟକୁ ଦୌଡୁଛନ୍ତି। ଗତବର୍ଷ ଆକାଉଣ୍ଟକୁ ଅର୍ଥ ଆସିବା ସମ୍ପର୍କିତ ସୂଚନା ସମ୍ପୃକ୍ତ ଚାଷୀଙ୍କ ମୋବାଇଲକୁ ଆସୁଥିଲା ହେଲେ ଚଳିତବର୍ଷ ସୂଚନା ଅଭାବରୁ ସେମାନେ ଅଯଥାରେ ବ୍ୟାଙ୍କକୁ ଦୌଡୁଛନ୍ତି ା ଧାନ ପକାଇବାର ୨୪ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଟଙ୍କା ଆସିବା ନେଇ ଯୋଗାଣ ବିଭାଗ ଘୋଷଣା କରିଥିଲେ ହେଁ ୧୨ଦିନ ପରେ ମଧ୍ୟ ଟଙ୍କା ନ ଆସିବା ଚାଷ କାର୍ଯ୍ୟ ପ୍ରତି ଅନାଗ୍ରହ ସୃଷ୍ଟି କରୁଛି ା ଏହା ମଧ୍ୟରେ ଏଭଳି ୧୦ଜଣ ଚାଷୀ ଅଛନ୍ତି ୧ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସୁନାହିଁ। ସେପଟେ ଅଡା ଅଞ୍ଚଳର ଓ ଆଉ କିଛି ମିଲ ଧୂଳି ଅଗାଡି ଆଳରେ ୮ରୁ ୧୦ପ୍ରତିଶତ କଟ୍‌ନୀଛଟ୍‌ନୀ କରୁଥିବାରୁ ବହୁ ଚାଷୀ ଧାନ ବିକିବାକୁ ସକ୍ଷମ ହୋଇପାରୁନାହାନ୍ତି। ଫଳରେ ଗଡପୋଖରୀ, ମାଣିତ୍ରୀ, ଓସଙ୍ଗ, ଡୁଙ୍ଗୁରା, ବର୍ତ୍ତନା, ଖଇରା ଓ ପଳସା ଆଦି ସମିତିଗୁଡିକରେ ଚାଷୀମାନେ ଉକ୍ତ ମିଲ୍‌ ଓ ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଧାନକିଣାରେ ମଧ୍ୟ ଆଶାନୁରୂପ ଅଗ୍ରଗତି ହୋଇପାରୁନାହିଁ। ଘଟଣାକ୍ରମେ ଖଇରା ସମିତିରେ ଧାନକିଣାରେ ଅତ୍ୟଧିକ କଟ୍‌ନୀକୁ ନେଇ ପାଟିତୁଣ୍ଡ ପରେ ଗାୟତ୍ରୀ ମହାନ୍ତି ନାମକ ଚାଷୀ ଧାନ ରଖି ପଳାଇଥିଲେ। ଖୁବଶୀଘ୍ର ସେ ଜିଲାପାଳଙ୍କୁ ଭେଟିବାକୁ ଚେତାବନୀ ଦେଇଛନ୍ତି ା ଅବ୍ୟବସ୍ଥା ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟଙ୍କୁ ପଚାରିବାରେ ଟଙ୍କା ପାଇଁ କିଛିଦିନ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ା