ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା

ଭୁବନେଶ୍ୱର,୧୧।୫(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଛି। ସେଥିପାଇଁ ଲୋକେ ଟିକା ନେବାକୁ ଆତୁର। ଫଳରେ ଟିକାକରଣ କେନ୍ଦ୍ରରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱର, କଟକଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ସକାଳୁ ପ୍ରବଳ ଭିଡ଼ ଲଗାଉଛନ୍ତି। ଟିକାକରଣ କେନ୍ଦ୍ରରେ କୋଭିଡ୍‌ ନିୟମାବଳୀକୁ ନ ମାନି ଆଗୁଆ ଟିକା ନେବା ପାଇଁ ପରସ୍ପର ମଧ୍ୟରେ ଠେଲାପେଲା ଚାଲିଛି। ପୋଲିସ ମଧ୍ୟ ଏହି ଭିଡ଼କୁ ନିୟନ୍ତ୍ରଣ କରିପାରୁ ନାହିଁ। ପଞ୍ଜୀକୃତ ବ୍ୟକ୍ତି କେଉଁଦିନ ଓ କେଉଁଠି ଟିକା ନେବେ ସେ ନେଇ ମୋବାଇଲ୍‌କୁ ସୂଚନା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ଲୋକେ କୌଣସି ସୂଚନା ପାଇପାରୁ ନ ଥିବାରୁ ନିକଟସ୍ଥ ଟିକା କେନ୍ଦ୍ରରେ ଗହଳି ବଢ଼ୁଛି। ଏହାଦ୍ୱାରା କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।
ଭଦ୍ରକ ଜିଲା ବାସୁଦେବପୁର ଡାକ୍ତରଖାନାରେ ସୋମବାର ଲୋକେ ଟିକା ନେବାକୁ ଠେଲାପେଲା ହେଉଥିଲେ। ସେମାନଙ୍କ ମଧ୍ୟରୁ ଅନେକ ପଞ୍ଜୀକରଣ ନ କରି ହସ୍ପିଟାଲକୁ ଟିକା ନେବାକୁ ଆସିଥିଲେ। ଭୋର ୪ଟାରୁ ପଞ୍ଜୀକରଣ କରିବାକୁ ଲମ୍ବା ଲାଇନ ଲାଗିଯାଉଛି। ଦୈନିକ ୪୦୦ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ଥିବାବେଳେ ୨୦୦୦ ଲୋକ ଲାଇନରେ ଛିଡ଼ା ହୋଇଥିଲେ। ଫଳରେ ପଞ୍ଜୀକରଣ ସରିବା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ପୋଲିସକୁ ଭିଡ଼ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା।
ବାସୁଦେବପୁର ଭଳି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଠାରେ ଟିକା ନେବା ପାଇଁ ଲୋକମାନେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ। ଲୋକମାନେ ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ। ଟିକା ନେବା ପାଇଁ ଠେଲାପେଲା ହେଉଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲା ଆନନ୍ଦପୁର ଟିକାକରଣ କେନ୍ଦ୍ରରେ ମଧ୍ୟ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ସାମାଜିକ ଦୂରତା ଭୁଲି ଟିକା ପାଇଁ ପ୍ରବଳ ଗହଳି ଲଗାଇଥିଲେ। ସ୍ଥିତି ଏଭଳି ହୋଇଥ୍‌ତ୍ଲା ଯେ ଭ୍ୟାକ୍ସିନେଶନ ସେଣ୍ଟରରେ ୧୫୦ ଟିକା ଥିବା ବେଳେ ହଜାରେରୁ ଅଧିକ ଲୋକ ଭିଡ଼ ଜମାଇଥିଲେ। କେହି କେହି ରାତି ୨ଟାରୁ ଆସି ଲାଇନ ଲଗାଇଥିବା ଜଣାପଡ଼ିଛି।

Share