ରାସ୍ତା କାମରେ ଅବ୍ୟବସ୍ଥା, ମାନୁନାହାନ୍ତି ଗାଇଡ୍‌ଲାଇନ

ଗୋବିନ୍ଦପାଲି,୨୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ୨ଟି ପଞ୍ଚାୟତ ବଡଡୁରାଲ ଓ ମାଡ଼କାପଦରକୁ ବ୍ଲକ ଓ ଜିଲା ସଦର ମହକୁମା ସହିତ ଯୋଡିବା ଉଦ୍ଦେଶ୍ୟରେ ଗୋବିନ୍ଦପାଲିଠାରୁ ସୋନୁଗୁଡା ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ଓ୍ବାଇରେ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ହେଉଛି। ରାସ୍ତା ନିର୍ମାଣରେ ହେଉଛି ଦୁର୍ନୀତି। ମାତ୍ର ଏଠାରେ ଠିକାଦାର ବିଭାଗୀୟ ଗାଇଡ୍‌ଲାଇନ କିଛି ମାନୁ ନ ଥିବା ଅଭିଯୋଗ ହେଉଛି। ବିଭାଗୀୟ ଯନ୍ତ୍ରୀ ମଧ୍ୟ କାର୍ଯ୍ୟ ତଦାରଖ କରୁ ନ ଥିବାରୁ ଠିକାଦାର ଇଚ୍ଛା ମୁତାବକ ନିମ୍ନମାନର କାମ କରୁଛନ୍ତି। ଏବେ ରାସ୍ତା ନିର୍ମାଣ ନେଇ ଧାର୍ଯ୍ୟ ସମୟ ସରିଯାଇଥିଲେ ମଧ୍ୟ କାମ ସାରିପାରିନାହିଁ। ମନ୍ଥର ଗତିରେ କାମ ହେଉଛି। ପୋଲଗୁଡିକ ଅନ୍ୟ ଜଣେ ଠିକାଦାର କରୁଥିବା ବେଳେ ସେ ନିମ୍ନମାନର କାମ କରୁଛନ୍ତି। ନିର୍ମାଣ ଆରମ୍ଭରୁ ବ୍ୟୟ ଅଟକଳ ଦର୍ଶାଇ ସୂଚନାଫଳକ ନ ଲଗାଇବା, ଜଙ୍ଗଲରୁ ମୂଲ୍ୟବାନ୍‌ କାଠ କାଟି ନେଇ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବା, କାର୍ଯ୍ୟରେ ଶିଶୁଶ୍ରମିକଙ୍କୁ ନିୟୋଜିତ କରିବା, ସୁରକ୍ଷା ନିୟମ ନ ମାନିବା, ଭାଇବ୍ରେଟର ନ ମାରିବା, ସିମେଣ୍ଟର ପରିମାଣ କମ୍‌ କରିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବାହାଦୁରଗୁଡା ନିକଟରେ ନିର୍ମାଣ ହୋଇଥିବା ହ୍ୟୁମ୍‌ ପାଇପ ପୋଲ ତଳେ କଂକ୍ରିଟ ବେଡ୍‌ କରା ନ ଯାଇ ବିନା କଂକ୍ରିଟ ବେଡ୍‌ରେ ମାଟି ଉପରେ ପାଇପଗୁଡିକୁ ରଖି ମାଟି ପୋତି ଦେଇଥିବା ପୂର୍ବତନ ୱାର୍ଡ ମେମ୍ବର ମଧୁ ଖିଲ, ଶୁକ୍ରା ସୀସା, ଗୁରୁବାରୀ ହନ୍ତାଳଙ୍କ ସମେତ ଗ୍ରାମବାସୀ କରିଛନ୍ତି। ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା।