ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଅବ୍ୟବସ୍ଥା

କଟକ ଅଫିସ,୧୮ା୯: ଏସ୍‌ସିବି ମେଡିକାଲର ଆଇସୋଲେଶନ ୱାର୍ଡରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରି କଂଗ୍ରେସ ନେତା ମାନସ ଚୌଧୁରୀ ଟୁଇଟରରେ ଗୁରୁବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଉକ୍ତ ଭିଡିଓରେ ମାନସ ଲେଖିଛନ୍ତି, ଏସ୍‌ସିବି ମେଡିକାଲ ରାଜ୍ୟବାସୀଙ୍କ ଆଶାର କିରଣ। ଏପରି ନିର୍ଭରଯୋଗ୍ୟ ହସ୍ପିଟାଲ ଆଇସୋଲେଶନ ୱାର୍ଡର କିଛି ଦୃଶ୍ୟ ମୋତେ ବ୍ୟଥିତ କରିଛି। ୱାର୍ଡସାରା କୁଢ କୁଢ ଅଳିଆ, ସର୍ବସାଧାରଣ ଯାତାୟାତ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱରେ ମୃତଦେହ ପଡି ରହିବା, ବ୍ୟବହୃତ ସୁରକ୍ଷା କିଟ୍‌ ଏଣେତେଣେ ପଡିବା, ବିପଦସଙ୍କୁଳ ଅବସ୍ଥାରେ ଅକ୍ସିଜେନ ସିଲିଣ୍ଡର ଆଉଜେଇ ହୋଇପଡିଥିବା, ଅପରିଷ୍କାର ବେସିନ ଏବଂ ଚଟାଣରେ ରୋଗୀ ଚିକିତ୍ସିତ ହେଉଥିବା ଭଳି ଦୃଶ୍ୟ ରହିଛି। ଏସବୁ ଯେକେହି ଦେଖିଲେ କ୍ଷୁବ୍ଧ ହେବା ସ୍ବାଭାବିକ। ରାଜ୍ୟର ଅନ୍ୟ କେଉଁଠି ଏପରି ଅବ୍ୟବସ୍ଥାର ଚିତ୍ର ନଜରକୁ ଆସିଲେ କଂଗ୍ରେସ ଏହାକୁ ଲୋକଲୋଚନକୁ ଆଣିବ। ଯଦି ସରକାର ନ ଶୁଣନ୍ତି, ତେବେ ଆବଶ୍ୟକ ହେଲେ ଦଳ ରାଜରାସ୍ତାକୁ ଓହ୍ଳାଇବ। ଏ ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକଙ୍କୁ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନଥିଲା।

Share