ସାତକୋଶିଆରୁ ବିସ୍ଥାପନ ସ୍ଥଗିତ

ଅନୁଗୋଳ, ୨୭।୮(ଅମିତ ସାମଲ)ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବସବାସ କରୁଥିବା ପରିବାର ବିସ୍ଥାପିତ ହେବେନାହିଁ। ବିସ୍ଥାପନ ପ୍ରକ୍ରିୟାରେ ଅନେକ ତ୍ରୁଟିବିଚ୍ୟୁତି ରହିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାମୟିକ ଭାବେ ଏହାକୁ ସ୍ଥଗିତ ରଖାଯାଇଛି। ଏହା ଜଣାପଡ଼ିବା ପରେ ବିସ୍ଥାପିତ ହେବାକୁ ଥିବା ପୁରୁଣାକୋଟ, ଟିକରପଡ଼ା ଓ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ୨୨ ଗ୍ରାମର ବାସିନ୍ଦା ସାମୟିକ ଭାବେ ଆଶ୍ୱସ୍ତ ହୋଇଛନ୍ତି। ଏଥିଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ବିଜେଡି ନେତା ନଳିନୀକାନ୍ତ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ବନ୍ୟପ୍ରାଣୀ ଏବଂ ଅଭୟାରଣ୍ୟ ସୁରକ୍ଷା ଆଳରେ ସାତକୋଶିଆରେ ବର୍ଷ ବର୍ଷ ଧରି ବସବାସ କରିଆସୁଥିବା ଆଦିବାସୀ ପରିବାରକୁ ବିସ୍ଥାପନ କରାଯିବାକୁ ଯୋଜନା କରାଯାଇଥିଲା। ପ୍ରଶାସନ ଏବଂ ବନ ବିଭାଗର ଏଭଳି ନିଷ୍ପତ୍ତିକୁ ୨ ବର୍ଷ ହେଲା ସମ୍ପୃକ୍ତ ଅଞ୍ଚଳବାସୀ ବିରୋଧ କରିଆସୁଥିଲେ। ବିନା ଗ୍ରାମସଭାରେ ବିସ୍ଥାପନ କରାଯାଉଥିବା ଏବଂ ପ୍ରଶାସନିକ ଅଧିକାରୀମାନେ ଚକ୍ରାନ୍ତ କରି ବିଷମଞ୍ଜି ବୁଣୁଥିବା ଅଭୟାରଣ୍ୟବାସୀ ଅଭିଯୋଗ କରିଥିଲେ। ଆଦିବାସୀଙ୍କୁ ପ୍ରଲୋଭିତ କରି ୨୦ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା, ଖାଲି ପଡ଼ିଥିବା ଘରକୁ କବ୍‌ଜା କରାଯିବା, ବାସହୀନ ପରିବାରକୁ ଗଁା ଛାଡ଼ି ଚାଲିଯିବାକୁ କହିବା, ସପକ୍ଷବାଦୀ-ବିପକ୍ଷବାଦୀ ଗୋଷ୍ଠୀ ସୃଷ୍ଟି କରି ବିସ୍ଥାପନ ପ୍ରକ୍ରିୟା ଜାରି ରଖିବା, ବିନା ଆଲୋଚନାରେ ମୁଷ୍ଟିମେୟ ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ ଆଦିକୁ ନେଇ ଅସନ୍ତୋଷ ତୀବ୍ର ହୋଇଥିଲା। ଅଞ୍ଚଳବାସୀ ଏକାଧିକ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ। ଏ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କମିଶନକୁ ଲିଖିତ ଭାବେ ଜଣାଇବା ସହ ଆଇନର ଆଶ୍ରୟ ନେଇଥିଲେ। ସମସ୍ୟା ନେଇ ସେମାନେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ବିସ୍ଥାପନ ପ୍ରକ୍ରିୟା ଆଇନ ଅନୁଯାୟୀ ହେଉ ନ ଥିବା ଏବଂ ଏଥିରେ ଭୁଲ ରହିଥିବା ଜଣାପଡ଼ିଥିଲା। ଏହାପରେ ପ୍ରଧାନ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ସହସ୍ରାଧିକ ଆଦିବାସୀ ପରିବାରର ମୌଳିକ ଅଧିକାରକୁ ସୁରକ୍ଷା ଦେବାକୁ ଯାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବିସ୍ଥାପନ ପ୍ରକ୍ରିୟା ବନ୍ଦ ରଖାଯାଇଥିବା ଜଣାପଡ଼ିଛି।
ଏ ନେଇ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମଗୋପନ ରଖି କହିଛନ୍ତି, ବିସ୍ଥାପନ ସାମୟିକ ସମୟ ପାଇଁ ସ୍ଥଗିତ ରହିଛି। ଉପରୁ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।