୨ ଗାଁ ମଧ୍ୟରେ ବିବାଦ, ଥାନାରେ ଅଭିଯୋଗ

ଯାଜପୁର ସଦର,୨୦।୧୨(ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ଶ୍ୟାମଦାସପୁର ପଞ୍ଚାୟତ କଳସପୁରଠାରେ ଥିବା ଖରସ୍ରୋତା ନଦୀର ବାଲିଘାଟ ସୀମା ନିର୍ଦ୍ଧାରଣକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ମାପ ଚୁପ ପରେ ବାଲିଘାଟ ରାସ୍ତାକୁ ନେଇ ମାଧପୁର ଓ କଳସପୁର ମଧ୍ୟରେ ବିବାଦ ଉପୁଜିଛି। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଏହି ବାଲିଘାଟକୁ ଯିବା ପାଇଁ ସରକାରୀ ରାସ୍ତା ନ ଥିବାରୁ ବ୍ୟକ୍ତିଗତ ଜାଗାରେ ଦୈନନ୍ଦିନ ଶତାଧିକ ହାଇୱା ଓ ଟ୍ରାକ୍ଟର ଯାତାୟାତ କରୁଛି। ଫଳରେ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରୀଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। କର୍ଣ୍ଣକଟୁ ଶବ୍ଦ ସାଂଗକୁ ପ୍ରବଳ ଧୂଳି ବାଲି ଉଡ଼ିବାରୁ ଛାତ୍ରୀଛାତ୍ର ଅତିଷ୍ଠ ହୋଇ ପଡୁଛନ୍ତି। ଏଠାରେ ଥିବା ଏକ ପାନୀୟ ଜଳ ପ୍ରକଳ୍ପର ପାଣି ଟlଙ୍କିକୁ ହାଇୱl ଧକ୍କା ଦେବା ଫଳରେ ଟାଙ୍କିର କିଛି ଅଂଶ ଭାଙ୍ଗି ରୁଜିଯାଇଥିବା ଦେଖିବାକୁ ମିଳିଛି। ଜଳସେଚନ ବିଭାଗର ଅଣଓସାରିଆ ନଦୀବନ୍ଧରେ ହାଇୱା ଯିବା ଦ୍ୱାରା ସେହି ରାସ୍ତା ଉପରେ ନିର୍ଭର କରୁଥିବା ମାଧପୁର, କଳସପୁର, ଭୁବନପୁର, ସାନସୁଜନପୁର ଓ ହାସିନପୁରର ସାଧାରଣ ଜନତା ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କୌଣସି ଅଘଟଣ ଘଟିଲେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ଯିବା ଅସମ୍ଭବ ହୋଇପଡିଛି। ଛାତ୍ରୀଛାତ୍ର ଏହି ରାସ୍ତାରେ ଯିବା ବନ୍ଦ କରି ଦେଇଛନ୍ତି। ଏସବୁ ଅସୁବିଧା ହେବାରୁ ଜିଲାପାଳ ଓ ତହସିଲଦାରଙ୍କ ନିକଟରେ ଗ୍ରାମବାସୀଙ୍କ ତରଫରୁ ଲିଖିତ ଅଭିଯୋଗ ହୋଇଥିଲା। ହେଲେ ବିଷୟ ଜିଲା ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲା। ଫଳରେ ୨୦ ଦିନ ପୂର୍ବେ ଗ୍ରାମର ସାଧାରଣ ଜନତା, ମହିଳା ଓ ଛାତ୍ରୀଛାତ୍ର ବାଲିଘାଟ ବନ୍ଦ କରିଥିଲେ। ପରେ ୦୬ା୧୨ା୨୦୨୩ରେ ଯାଜପୁର ତହସିଲଦାର ଏକ ସର୍ବସାଧାରଣ ନୋଟିସ ଜାରିକରି ୧୯ା୧୨ା୨୦୨୩ ପୂର୍ବାହ୍ନ ୧୦ଟା ସମୟରେ ସୀମା ନିର୍ଦ୍ଧାରଣ ପାଇଁ ଜଣାଇଥିଲେ। ସୀମା ନିର୍ଦ୍ଧାରଣ ସମୟରେ ଗ୍ରାମବାସୀ ଜାଣିବାକୁ ପାଇଲେ ଯେ ବାଲିଘାଟକୁ ଯାଇଥିବା ରାସ୍ତା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ କିଛି ଅଂଶ ଗୋଚର ଜମି। ଯାଜପୁର ସହକାରୀ ଜିଲାପାଳ ଅଜୟ ପଣ୍ଡା, କଳସପୁର ରାଜସ୍ବ ଅଧିକାରୀ, ଖଣିବିଭାଗ ଅଧିକାରୀ ଓ ସଦର ଥାନା ଅଧିକାରୀ ଅନିରୁଧ ନାୟକ, ଏସ୍‌ଆଇ ମନୋଜ ପଣ୍ଡା ଘଟଣାସ୍ଥଳରେ ଉପସ୍ଥିତ ରହି ମାପଚୁପ କରିଥିଲେ।

Share