ତୁଟିଲା ଦୀର୍ଘଦିନର ଜାଗା ବିବାଦ

ଗଞ୍ଜାମ,୧୪ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସାନ ବଜାର କଲେଜ ରୋଡ୍‌ ମାଛ ମାର୍କେଟ ପାର୍ଶରେ ଥିବା ଜାଗାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା। ଉକ୍ତ ଜାଗାକୁ ନେଇ ରାଉଳ ସାହିର ପଣ୍ଡା ପରିବାର ଓ ରାଉଳ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ତେବେ ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ଏବଂ ଗଞ୍ଜାମ ଥାନା ସେକେଣ୍ଡ ଅଫିସର କ୍ଷେତ୍ରମୋହନ ସାହୁଙ୍କ ଉପସ୍ଥିତରେ ଉକ୍ତ ଜାଗା ବିବାଦ ସମାଧାନ ହୋଇଛି। ଜାଗା ମପାମପି ବେଳେ ଉଭୟ ପକ୍ଷ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଉକ୍ତ ଜାଗା ପ୍ଲଟ୍‌ ନଂ ୬୨ପଟ୍ଟା ନଂ ୧୧୩ ରାଉଳ ସାହିର ପୂର୍ବ ପୁରୁଷରୁ ସ୍ବର୍ଗତ ଜଗନ୍ନାଥ ପଣ୍ଡାଙ୍କ ନାମରେ ପଟ୍ଟା ଥିଲା। ତାଙ୍କର ଉତ୍ତରାଧିକାରୀ ତତ୍‌କାଳୀନ ଗଞ୍ଜାମ ଏନ୍‌ଏସି ନଗରପାଳ ସ୍ବର୍ଗତ ଶରତ ଚନ୍ଦ୍ର ପଣ୍ଡା ଏବଂ ତାଙ୍କ ପୁଅ ଶୁଭାଶିଷ ପଣ୍ଡା ଦାବିଦାର ଥିବା ଜାଗା ମପାମପି ବେଳେ ଜଣା ପଡ଼ିଥିଲା। ଜାଗା ମପାମପି ବେଳେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପୂର୍ବରୁ ସେଠାରେ ଉପସ୍ଥିତ ଥିବା ସେକେଣ୍ଡ ଅଫିସର ସାହୁ ପରିସ୍ଥିତି ସମ୍ଭାଳି ଥିଲେ।ତହସିଲ ପ୍ରଶାସନ ପକ୍ଷରୁ ଜାଗା ଚି଼ହ୍ନଟ କରି ପୂର୍ବତନ ଚେୟାରମ୍ୟାନ ସ୍ବର୍ଗତ ପଣ୍ଡାଙ୍କ ପୁଅଙ୍କୁ ଦାବିଦାର ବୋଲି ଘୋଷଣା ହୋଇଥିଲା। ଉକ୍ତ ଜାଗା ବିବାଦ ସିଭିଲ କୋର୍ଟରେ ମଧ୍ୟ ବିଚାରଧୀନ ହୋଇ ପଣ୍ଡାଙ୍କ ସପକ୍ଷରେ ଯାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଉକ୍ତ ଜାଗା ବିବାଦ ନେଇ ଉଭୟପକ୍ଷ ଗଞ୍ଜାମ ଥାନାର ଦ୍ୱାରସ୍ଥ ହୋଇଥିଲେ। ଫଳରେ ଥାନା ଆଇଆଇସି ଉଭୟ ପକ୍ଷକୁ ଆବଶ୍ୟକ କାଗଜପତ୍ର ଏବଂ ଡକ୍ୟୁମେଣ୍ଟ ଯୋଗାଡ଼ ନିମନ୍ତେ ଏକ ମାସ ସମୟ ଦେଇଥିଲେ। ମଙ୍ଗଳବାର ପୁଣି ରାଜସ୍ବ କାର୍ଯ୍ୟାଳୟ ପକ୍ଷରୁ ଡିମାମାର୍କେଶନ କରାଯାଇ ଉକ୍ତ ଜାଗା ପଣ୍ଡା ପରିବାରକୁ ହସ୍ତାନ୍ତର କରାଯାଇଥିବା ଆରଆଇ ରବୀନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Share