Categories: ଜାତୀୟ

ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ଦିଆ ନ ଯାଉ ଲଢ଼ିବା ସୁଯୋଗ

ନୂଆଦିଲ୍ଲୀ, ୨୩।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ସୁପ୍ରିମକୋର୍ଟରେ ଏକ ପୁରୁଣା ମାମଲା ଉପରେ ବୁଧବାର ପିଟିଶନ ଦାଖଲ କରାଯାଇଛି। ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ କିମ୍ବା ନିଜେ ଇସ୍ତଫା ଦେଇଥିବା ବିଧାୟକଙ୍କ ପ୍ରତିଦ୍ୱନ୍ଦ୍ୱିତା ଉପରେ ୫ ବର୍ଷ ପର୍ଯ୍ୟନ୍ତ କଟକଣା ଲାଗୁ କରାଇବା ପାଇଁ ଏଥିରେ ନିବେଦନ କରାଯାଇଛି।

ମଧ୍ୟପ୍ରଦେଶର କଂଗ୍ରେସ ନେତା ଜୟା ଠାକୁର ୨୦୨୧ରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ମହାରାଷ୍ଟ୍ରର ସଦ୍ୟ ରାଜନୈତିକ ଘଟଣାକ୍ରମ ପରେ ସେ ପୁନର୍ବାର ତାଙ୍କ ଆବେଦନର ବିଚାର ପାଇଁ ଅନୁରୋଧ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମହାରାଷ୍ଟ୍ରରେ ୨୦୨୨ ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟରେ ସମାନ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଦେଶର ସାମ୍ବିଧାନିକ ମୂଲ୍ୟବୋଧକୁ ଏହି ରାଜନୈତିକ ଦଳଗୁଡ଼ିକ ପୁଣି ନଷ୍ଟ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେଣୁ ତାଙ୍କ ଆବେଦନର ତ୍ୱରିତ ବିଚାର କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି।

ତାଙ୍କ ମତରେ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ, ଗୃହର ଜଣେ ସଦସ୍ୟ ଅଯୋଗ୍ୟ ଘୋଷିତ ହେଲେ ସେ ନିର୍ବାଚିତ ହୋଇଥିବା ଅବଧି ମଧ୍ୟରେ ତାଙ୍କୁ ପୁନଃ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦିଆଯିବା ଅନୁଚିତ। ଉକ୍ତ ପିଟିଶନରେ ଜୟା ୨୦୧୯ର କର୍ନାଟକ ପଲିଟିକାଲ ହାଇଡ୍ରାମା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେହି ସମୟରେ ଶାସକ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏବଂ କଂଗ୍ରେସର ୧୭ ବିଧାୟକ ଇସ୍ତଫା ଦେବା ପରେ ଏଚ୍‌. ଡି. କୁମାରସ୍ବାମୀଙ୍କ ସରକାର ଭାଙ୍ଗି ଯାଇଥିଲା।

ତତ୍କାଳୀନ ବାଚସ୍ପତି ରମେଶ କୁମାର ବିଧାୟକମାନଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ। ସେହି ବିଧାୟକଙ୍କ ମଧ୍ୟରୁ ୧୧ ଜଣ ଉପନିର୍ବାଚନରେ ପୁଣି ଲଢ଼ି ବିଧାନସଭାକୁ ଆସିଥିଲେ। ୧୧ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ବି. ଏସ୍‌. ୟେଦୁରେପ୍ପା ସରକାରଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ପଦ ମିଳିଥିଲା।

Share