ନିର୍ଦ୍ଦେଶକୁ ବେଖାତିର: ଛୁଟିରେ ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ

ବରପାଲି,୧୩।୪(ଡି.ଏନ.ଏ.): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲଗୁଡିକୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ବରପାଲି ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ ଗୁରୁବାର ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଜିଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ, ବରପାଲି ଏନ୍‌ଏସି ଉପାଧ୍ୟକ୍ଷା ସୁପ୍ରିୟା ଜେନା, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍କୁଲର ଛାତ୍ରୀ ଏବଂ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ରହିଥିଲେ। ଉତ୍ସବରେ ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ଛୁଟି ଘୋଷଣା ସତ୍ତ୍ୱେ ପ୍ରଚଣ୍ଡ ଖରାରେ ଛାତ୍ରୀମାନଙ୍କୁ ନେଇ ସ୍କୁଲର ବାର୍ଷିକୋତ୍ସବ ପାଳନ କରିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏ ସମ୍ପର୍କରେ ବରଗଡ଼ ଜିଲା ଶିକ୍ଷାଧିକାରୀ କଛପଙ୍କୁ ଯୋଗାଯୋଗ କରିବାରୁ ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ବାର୍ଷିକୋତ୍ସବ ପାଳନ କରାଯାଇଥିଲା ବୋଲି ପ୍ରତିକ୍ରିୟା ଦେଇଥିଲେ।

Share