ପୂଜ୍ୟପୂଜାଙ୍କୁ ଅସମ୍ମାନ

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ଜିଲାରେ ପୂଜ୍ୟପୂଜାଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ। ମହାପୁରୁଷଙ୍କ ଜୟନ୍ତୀ, ତିରୋଧାନ ଦିବସରେ ସହରରେ ସ୍ଥାପିତ ପ୍ରତିମୂର୍ତ୍ତିରେ ନାମକୁ ମାତ୍ର ଫୁଲମାଳ ପକାଇ ପ୍ରଶାସନ ଦାୟିତ୍ୱ ସାରିଦେଉଥିବାବେଳେ ଅନ୍ୟଦିନରେ ପରିତ୍ୟକ୍ତ ଅବସ୍ଥାରେ ଧୂଳିଧୂସରିତ ହୋଇ ପଡ଼ିରହୁଛି। ଏଭଳି ଅବହେଳାକୁ ନେଇ କ୍ଷୋଭବ୍ୟକ୍ତ କରିଛି ଢେଙ୍କାନାଳ ଥିଙ୍କର୍ସ ଫୋରମ୍‌। ଜିଲାର ଐତିହ୍ୟ, ସଂସ୍କୃତି, ସାହିତ୍ୟ ଏବଂ ଗଡ଼ଜାତ ଆନ୍ଦୋଳନ ସହ ଜଡ଼ିତ ବ୍ୟକ୍ତିବିଶେଷ ପରପିଢ଼ି ପାଇଁ ଆଦର୍ଶ ହୋଇଥିବାବେଳେ ସେମାନଙ୍କ ସ୍ମୃତିସ୍ଥଳର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।
ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଫୋରମ୍‌ ପକ୍ଷରୁ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ତେବେ ଏହା ନିକଟରେ ଥିବା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ ଏବଂ ଢେଙ୍କାନାଳ ମାଟିର ବିଶିଷ୍ଟ କବି ବ୍ରଜନାଥ ବଡ଼ଜେନାଙ୍କ ପ୍ରତିମୂର୍ତ୍ତି ପରିତ୍ୟକ୍ତ ହୋଇପଡ଼ିଥିଲା। ଏହାକୁ ଦେଖି କ୍ଷୋଭବ୍ୟକ୍ତ କରିଥିଲେ ଫୋରମ୍‌ ସଦସ୍ୟ। ସେମାନେ ମିଳିତ ହୋଇ ଉଭୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ବିଜ୍ଞାନକେନ୍ଦ୍ର ନିକଟସ୍ଥ ପାହାଡ଼ରେ ଥିବା ଢେଙ୍କା ଶବର ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ଢେଙ୍କାନାଳରେ ଢେଙ୍କା ଶବରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ଫୋରମ୍‌ ସଦସ୍ୟ ଦାବି କରିଥିଲେ। ସଭାପତି ସୋମେନ୍ଦୁ ଶତପଥୀ, ପ୍ରକାଶଚନ୍ଦ୍ର ରାଉତ, କୋଷାଧ୍ୟକ୍ଷ ବୈକୁଣ୍ଠ ବିହାରୀ ଦ୍ୱିବେଦୀ, ବିଶ୍ୱଜିତ ବରାଳ, ଭୋଜରାଜ ସାହୁ, ସୁଶୀଲ ନନ୍ଦ, ବିବେକାନନ୍ଦ ଷଡ଼ଙ୍ଗୀ, ନଜରୁଲ ଇସଲାମ, ହୃଦୟାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।