କୋଚି-ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ ଅପ୍ଟିକ ଫାଇବର ପ୍ରକଳ୍ପରେ ଭାରତୀୟ ସଂସ୍ଥାଗୁଡ଼ିକ ପାଇଁ ବାଧାସୃଷ୍ଟି: ନୀତି ଆୟୋଗ ସଦସ୍ୟ…

ନୂଆଦିଲ୍ଲୀ,୨୭।୯: କୋଚି-ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ (କେଏଲ୍‌ଆଇ) ଅପ୍ଟିକ ଫାଇବର ପ୍ରକଳ୍ପ ପାଇଁ ଟେଣ୍ଡର ଡକା ଯାଇଛି। ତେବେ ୧,୦୭୨ କୋଟି ଟଙ୍କାର ଏହି ପ୍ରକଳ୍ପ ଭାରତୀୟ ସଂସ୍ଥାଗୁଡ଼ିକ ପ୍ରତି ବାଧା ସୃଷ୍ଟି କରିବା ପାଇଁ ଡିଜାଇନ ହୋଇଥିବା ବୈଜ୍ଞାନିକ ତଥା ନୀତି ଆୟୋଗ ସଦସ୍ୟ ଭି.କେ ସାରସ୍ବତ ଅଭିଯୋଗ କରିଛନ୍ତି। ଭାରତୀୟ କମ୍ପାନୀଗୁଡିକୁ ଯେପରି ଟେଣ୍ଡରରେ ଅଂଶଗ୍ରହଣରୁ ବଞ୍ଚିିତ ହେବେ ତାହାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି।

ପ୍ରକଳ୍ପର ସୁରକ୍ଷା, ବ୍ୟୟ-ପ୍ରଭାବଶାଳୀତା ଏବଂ ନିର୍ଭରଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଥିବା ସେ କହିଛନ୍ତି। ପୂର୍ବତନ ଡିଆର୍‌ଡିଓ ମୁଖ୍ୟ ସାରସ୍ବତ ଟେଣ୍ଡରର କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଏପ୍ରିଲରେ ଟେଲିକମ ମନ୍ତ୍ରଣାଳୟକୁ ପଠାଯାଇଥିବା ଚିଠି ମାଧ୍ୟମରେ ଲବି ଗ୍ରୁପ ଟେଲିକମ ଉପକରଣ ଉତ୍ପାଦନକାରୀ ସଂଘ (ଟିଇଏମ୍‌ଏ) ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରାଯାଇଛି।

ଯେତେବେଳେ ଭାରତ ଟେଲିକମ ସେକ୍ଟରରେ ନିଜର ସାମର୍ଥ୍ୟ ବିକଶିତ କରିବାକୁ ଚେଷ୍ଟା କରୁଛି, ସେତେବେଳେ ସ୍ବଦେଶୀ ସଂସ୍ଥାର ସାମର୍ଥ୍ୟର ବିକାଶକୁ ସହଜ ତଥା ସମର୍ଥନ କରିବା ପାଇଁ ଟେଣ୍ଡର କୌଣସି ବ୍ୟବସ୍ଥା ନାହିଁ। ଜଣାପଡିଛି ଯେ ଟେଣ୍ଡରରେ ଉଲ୍ଲେଖ କରାଯାଇଥିବା ଯୋଗ୍ୟତା ମାନଦଣ୍ଡ ଜାଣିଶୁଣି ଭାରତୀୟ କମ୍ପାନୀଗୁଡିକୁ ପ୍ରକଳ୍ପରେ ଅଂଶଗ୍ରହଣ ନ କରିବାକୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଥିବା ସାରସ୍ବତ କହିଛନ୍ତି।

ଏହି ପ୍ରକଳ୍ପ ଦ୍ୱାରା ଦେଶର ମୁଖ୍ୟ ଭୂଖଣ୍ଡ ଏବଂ ଲକ୍ଷ୍ମୀଦୀପ ଦ୍ୱୀପପୁଞ୍ଜ ମଧ୍ୟରେ ସଂଯୋଗ ହେଉଛି । ରଣନୀତିକ ତଥା ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ। ଭାରତୀୟ କମ୍ପାନୀଗୁଡିକର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଟେଣ୍ଡରକୁ ସ୍ଥଗିତ ରଖିବା ଉଚିତ ବୋଲି ସାରସ୍ବତ କହିଛନ୍ତି।

ସୂଚନାଯୋଗ୍ୟ,ଏହି ୧,୭୭୨ କିଲୋମଟର ପ୍ରକଳ୍ପ କୋଚି ଏବଂ ଲକ୍ଷ୍ମୀଦ୍ୱୀପର ୧୧ ଟି ଦ୍ୱୀପପୁଞ୍ଜ ମଧ୍ୟରେ ପାଣିରେ ବୁଡ଼ି ରହିଥିବା କେବୁଲ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ୨୦୨୦ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିଲା।

ପ୍ରସ୍ତାବିତ ଅଞ୍ଚଳରେ ୧୦୦ଜିବିପିଏସ୍‌ର ବ୍ୟାଣ୍ଡୱିଡଥ ଯୋଗାଇବା, ମୋବାଇଲ ସେବାରେ ଉନ୍ନତି ଆଣିବା ଏବଂ ଇ-ଶାସନ ଏବଂ ଇ-ବାଣିଜ୍ୟ ପଦକ୍ଷେପକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି।

Share