ଧାନକିଣା ଆରମ୍ଭରୁ ବିଭ୍ରାଟ

ଖଇରା,୧୭।୧୨: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୧୪ଟି ସେବା ସମବାୟ ସମିତିରେ ଏବେ ଧାନକିଣା ଆରମ୍ଭ ହୋଇସାରିଛି। ଅନଲାଇନରେ ବ୍ୟାପକ ତ୍ରୁଟି ରହିଥିବା ଅଭିଯୋଗ ପରେ ମଧ୍ୟ ଯୋଗାଣ ବିଭାଗ ଏହାର ସଂଶୋଧନ କରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ସମସ୍ୟାର ସମାଧାନ କରା ନ ଗଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ବିଭିନ୍ନ ସମିତି ଅଧୀନରେ ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିଥିବା ଚାଷୀ ପରମାନନ୍ଦ ସାହୁ, ଜଗବନ୍ଧୁ ରାଉତ, ପୁରସ୍ତମ ସାହୁ, ଶଙ୍କର୍ଷଣ ମହାପାତ୍ର, ହେମନ୍ତ କୁମାର ପୃଷ୍ଟି, ଅନୀଲ ଦାସ, ଉଦୟ କୁମାର ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।
ସେବା ସମିତିଗୁଡିକରେ ଧାନ ବିକ୍ରି କରିବାକୁ ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମିର ପଟ୍ଟା ପ୍ରଦାନ କରାଯାଇଥିଲା। ହେଲେ ବୋରଓ୍ବେଲ ଓ ଉଠାଜଳସେଚନ ମାଧ୍ୟମରେ ଚାଷ କରୁଥିବା ଚାଷୀମାନେ ଏଥିରେ ଅନ୍ତର୍ଭୁକ୍ତ ଥିଲେ। ହେଲେ ଯୋଗାଣ ବିଭାଗରୁ ତାଲିକା ଆସିବା ପରେ ଶତାଧିକ ଚାଷୀଙ୍କର ନାମ ବାଦ୍‌ ପଡିବା ଚାଷୀଙ୍କୁ ବିସ୍ମିତ କରିଥିଲା।
ବିଶେଷକରି ପଳସା, ବର୍ତ୍ତନା ଓ ମିର୍ଜାପୁରରେ ସର୍ବାଧିକ ଚାଷୀ ରହିଥିବା ଜଣାପଡିଥିଲା। କେବଳ ପଳସାରେ ୩୭ଜଣ ଏଭଳି ଚାଷୀ ରହିଥିବା ନେଇ ତଥ୍ୟରୁ ଜଣାପଡିଛି। ସେହିଭଳି ୧୦ଏକରରୁ ଊର୍ଦ୍ଧ୍ୱ ଜମିର ପଟ୍ଟା ଦାଖଲ କରି ଧାନ ବିକ୍ରି ପାଇଁ ଆବେଦନ କରିଥିବା ଚାଷୀଙ୍କର ନାମ ମଧ୍ୟ ତାଲିକାରୁ ବାଦ୍‌ ପଡିଛିି। ପୂର୍ବରୁ ଏଭଳି କିଛି କଟକଣା ନ ଥିବା ବେଳେ ଚଳିତବର୍ଷ କୃଷି ବିଭାଗ, ରାଜସ୍ବ ବିଭାଗ ତଥା ଯୋଗାଣ ବିଭାଗ ମିଳିତ ଯାଞ୍ଚ କରୁଥିବା ଆଳରେ ଅଟକାଇ ରଖାଯିବାକୁ ୧୪ଟି ସମିତିର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀଙ୍କୁ ବିଭିନ୍ନ ଆଳରେ ଏଭଳି ନିର୍ଯ୍ୟାତନା ଦିଆଯାଉଥିବାରୁ ଆଗାମୀ ଦିନରେ କୃଷିକୁ ପ୍ରଭାବିତ କରିବ ବୋଲି ଶାସ୍ତ୍ରୀ ସଙ୍ଗଠନ ଭଳି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣାକ୍ରମେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ଯୋଗାଣବିଭାଗ ଓ ସମବାୟ ବିଭାଗର ଅଧିକାରୀମାନେ ଧାନକେନ୍ଦ୍ରଗୁଡିକୁ ଉଦ୍‌ଘାଟନ କରିବାକୁ ଆସିଥିବା ବେଳେ ଚାଷୀମାନେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ହେଁ ଏ ପର୍ଯ୍ୟନ୍ତ ବିଶେଷ କିଛି ଫଳପ୍ରଦ ହୋଇନାହିଁ।
ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟଙ୍କ ସହ ଯୋଗାଯୋଗ କରିବାରେ ଅଧିକାଂଶ ତ୍ରୁଟି ସଂଶୋଧନ ସରିଗଲାଣି। ବାକି ଯାହା ଅଛି ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି।

(ଉତ୍କଳବନ୍ଧୁ ପଣ୍ଡା)