ଅକ୍ସିଜେନ୍‌ ଯୋଗାଣରେ ବାଧା ଦେଲେ ଦିଆଯିବ ଲଟକାଇ : ହାଇକୋର୍ଟ…

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ପ୍ରତିଦିନ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁ କରୋନା ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀମାନେ ମରିବାରେ ଲାଗିଛନ୍ତି। ରାଜଧାନୀ ଦିଲ୍ଲୀର ପ୍ରାୟ ସମସ୍ତ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଉଗ୍ରସେନ ହସ୍ପିଟାଲର ଏକ ଆବେଦନ ଉପରେ ବିଚାର କରି ଦିଲ୍ଲୀ ହାଇକୋର୍ଟର ବିଚାରପତି ବିପିନ୍‌ ସାଙ୍ଘି ଏବଂ ରେଖା ପଲ୍ଲୀଙ୍କ ଦ୍ୱାରା ଖଣ୍ଡପୀଠ କହିଛନ୍ତି ଯେ, ଅକ୍ସିଜେନ୍‌ ଯୋଗାଣରେ ବାଧା ସୃଷ୍ଟି କରେ ଲଟକାଇ ଦିଆଯିବ। କେନ୍ଦ୍ର, ରାଜ୍ୟ ଅବା ସ୍ଥାନୀୟ କୌଣସି ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଲେ ତାଙ୍କୁ କେବେ ମଧ୍ୟ କ୍ଷମା ଦିଆଯିବ ନାହିଁ ବୋଲି ଖଣ୍ଡପୀଠ ଏଭଳି କଡ଼ା ସ୍ବରରେ କହିଛନ୍ତି। ଏହା ସହିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଅକ୍ସିଜେନ୍‌ ଅଭାବ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ଜବାବ ତଲବ କରିଛନ୍ତି। ଏହା କରୋନାର ଦ୍ୱିତୀୟ ଲହର ନୁହେଁ, ଏହା ସୁନାମୀ ବୋଲି କୋର୍ଟ କହିଛନ୍ତି। ଏଭଳି ମୃତ୍ୟୁର ତାଣ୍ଡବକୁ ରୋକିବା ଲାଗି ରାଜ୍ୟ ସରକାରଙ୍କୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share