ଢେଙ୍କାନାଳ ଅଫିସ, ୧୪।୨: ବଳକା ଧାନକୁ ନେଇ ଢେଙ୍କାନାଳ ଜିଲାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଟୋକନ ଅନୁଯାୟୀ ବିକ୍ରି କରିବା ସତ୍ତ୍ୱେ ଚାଷୀଙ୍କ ପାଖରେ ପର୍ଯ୍ୟାପ୍ତ ଧାନ ବଳିପଡ଼ିଛି। ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମଣ୍ଡି ତୁଳନାରେ ସମବାୟ ସମିତିଗୁଡ଼ିକରେ ଅପେକ୍ଷାକୃତ କମ୍‌ ଧାନ ସଂଗ୍ରହ ହୋଇଛି। ତେଣୁ ଏଥିରେ ପାତରଅନ୍ତର କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସୋମବାର ସଦର ବ୍ଲକର ଗୋବିନ୍ଦପୁର, ତାଳବରକୋଟ, ମାଣିପୁର, ନଡିଆଳୀ, ବଳଦିଆବନ୍ଧ ଆଦି ପଞ୍ଚାୟତର ବହୁ ଚାଷୀ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଘେରାଉ କରିଥିଲେ।
ଚଳିତ ବର୍ଷ ଢେଙ୍କାନାଳ ଜିଲାରେ ଭଲ ଧାନ ଅମଳ ହୋଇଛି। ହେଲେ ପ୍ରଥମ ପର୍ଯ୍ୟାୟ ଟାର୍ଗେଟ୍‌ ଶେଷ ହେବାକୁ ବସିଥିବାବେଳେ ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ ଧାନ କିଣା ହୋଇପାରିନାହିଁ। ଏ ନେଇ ‘ଧରିତ୍ରୀ’ରେ ସୋମବାର ଖବର ପ୍ରକାଶ ପାଇଥିଲା। ତେବେ ଯୋଗାଣ ଅଧିକାରୀଙ୍କୁ ୫ ପଞ୍ଚାୟତର ଚାଷୀ ଦୀର୍ଘ ସମୟ ଘେରାଉ କରିବା ପରେ ସ୍ଥିତି କେତେ ଜଟିଳ ତାହା ସ୍ପଷ୍ଟ ହୋଇଛି। ଏଭଳି ଚାଷୀ ମାରଣ ନୀତିକୁ ନେଇ ରାଜ୍ୟ ସରକାର, ଜିଲା ପ୍ରଶାସନ, ଜିଲା ଯୋଗାଣ ବିଭାଗ ଏବଂ ଜିଲା କୃଷି ବିଭାଗ ଉପରେ ପ୍ରବଳ ବର୍ଷିଛନ୍ତି ତାଳବରକୋଟର ପୂର୍ବତନ ସରପଞ୍ଚ ଜୁଲଫତ୍‌ ଅଲ୍ଲୀ ଖଁା। ସେ କହିଛନ୍ତି, ଧାନ ଅମଳ ସର୍ଭେ ଠିକ୍‌ ଭାବେ କରାଯାଇନାହିଁ। କୃଷି ବିଭାଗ ଅଧିକାରୀ କ୍ଷେତ୍ର ପରିଦର୍ଶନ ନ କରି ମନଇଚ୍ଛା ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଜିଲା ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ ଅସନ୍ତୁଷ୍ଟ ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରି ପ୍ରଥମେ ବିଫଳ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୩ଲକ୍ଷ ୪୪ ହଜାର ୮୬୬ କୁଇଣ୍ଟାଲ ଧାନ କିଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଚାଷୀଙ୍କ ବଳକା ଧାନ କିପରି ଉଠିବ ସେଥିଲାଗି ପଦକ୍ଷେପ ନିଆଯିବ କହିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଚାଷୀ ଅସନ୍ତୋଷ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ କୁହନ୍ତି, ସଦର ବ୍ଲକର କେତେଜଣ ଚାଷୀଙ୍କ ଧାନ ବିକ୍ରି ହୋଇପାରି ନ ଥିବାରୁ ସେମାନେ ଆସି ଆଲୋଚନା କରିଛନ୍ତି। ସରକାରଙ୍କଠାରୁ ନିର୍ଦ୍ଦେଶନାମା ଆସିଲେ ଧାନ ଉଠାଇବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଗ୍ରୁପ୍‌କୁ ଅଧିକ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଚାଷୀମାନେ ଯେଉଁ ଅଭିଯୋଗ କରୁଛନ୍ତି, ତାହା ଭୁଲ୍‌। ଏଥିରେ ଜିଲା ପ୍ରଶାସନର କୌଣସି ଭୂମିକା ନାହିଁ। ଜିଲା ସମାଜ ମଙ୍ଗଳ ଅଧିକାରୀ ଏବଂ ସମବାୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ଉଭୟ ଏସ୍‌ଏଚ୍‌ଜି ଏବଂ ସୋସାଇଟି ପାଇଁ କେତେ ଆଲୋକେଶନ ହେଲେ ଧାନ ସବୁ ଉଠିପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ ଯୋଗାଣ ଅଧିକାରୀ କହିଛନ୍ତି।