ଆରଡ଼ି,୨୩।୭(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତ ସାଠିବାଙ୍କୁଡା ନିକଟରେ ଥିବା ବୈତରଣୀ ନଦୀବନ୍ଧରେ ୭ ଦିନ ହେଲା ବହ୍ଲାମରା କାର୍ଯ୍ୟ ଚାଲିଛି । ଏହାକୁ ନେଇ ସାଠିବାଙ୍କୁଡା, ବୋଡକ ସମେତ ଅନ୍ୟ କେତେକ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି । ପ୍ରତିବର୍ଷ ଏହି ନଦୀବନ୍ଧରେ ଜଳସେଚନ ବିଭାଗ ପକ୍ଷରୁ ମାଟିପକାଇ ନଦୀବନ୍ଧ ସୁଦୃଢ଼ କରାଯାଏ । ପୂର୍ବବର୍ଷ ମଧ୍ୟ ଏଠାରେ ମାଟି ପଡିଥିଲା । ହେଲେ ଏହି ବନ୍ଧକୁ କାଟି ବାଲି ମାଫିଆମାନେ ଚୋରା ଚାଲାଣ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁ ରାସ୍ତା ନଷ୍ଟ ହେଉଛି । ବନ୍ୟା ହେଲେ ଏହି ସ୍ଥାନରେ ଘାଇ ହେବାର ସମ୍ଭାବନା ଥିଲା । ଚଳିତବର୍ଷ ଖରାଦିନେ ବିଭାଗୀୟ ଅଧିକାରୀ ମାଟି ନ ପକାଇ ବର୍ଷାଦିନ ଆରମ୍ଭରେ ବହ୍ଲା ମାରି ବାଲିବସ୍ତା ପକାଇବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସମ୍ପୃକ୍ତ ବିଭାଗ ଜଣେ ଠିକାଦାରଙ୍କୁ ବହ୍ଲା ମାରିବା କାର୍ଯ୍ୟ ଦାୟିତ୍ୱ ଦେଇ ଲକ୍ଷଲକ୍ଷ ଟଙ୍କା ହଡପ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ପୂର୍ବତନ ସରପଞ୍ଚ କିଶୋର ନାୟକ କହିଛନ୍ତି। ଭଦ୍ରକ ଜିଲାପାଳ ଏହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ସେହିପରି ସୁନ୍ଦରପୁର ପଞ୍ଚାୟତର ସୁନ୍ଦରପୁରରୁ ଓଳଗ ମଧ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ବଳ ନଦୀବନ୍ଧରେ ମାଟି ସହ ବାଲି ପକାଯାଇ ଅସ୍ଥାୟୀ ଭାବେ ମରାମତି ଚାଲିଛି । ବନ୍ୟା ଆସିଲେ ପରିସ୍ଥିତି ଜଟିଳ ହେବାର ଆଶଙ୍କାକୁ ଏଡାଇ ହେବନି ବୋଲି ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିଶୋର ଦାସଙ୍କୁ ପଚାରିବାରୁ ସେ କହିଲେ, ବନ୍ୟା ପୂର୍ବରୁ ଦୁର୍ବଳ ନଦୀବନ୍ଧ ସ୍ଥାନରେ ଅସ୍ଥାୟୀ ଭାବେ ମରାମତି କାର୍ଯ୍ୟ ଚାଲିଛି । ପରବର୍ତ୍ତୀ ସମୟରେ ସ୍ଥାୟୀ ମରାମତି ଉପରେ ଗୁରୁତ୍ୱ ଦିଆଯିବ।