ମୁଗ, ଚିନାବାଦାମ ମଣ୍ଡି ଖୋଲାଯାଇ ନ ଥିବାରୁ ଅସନ୍ତୋଷ

ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଚଳିତ ବର୍ଷ ବାଦାମ ଓ ମୁଗ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଖରିଦ କରାଯିବ ବୋଲି ଗତ ମାସ ୨୯ରେ ତାରିଖ ଧାର୍ଯ୍ୟ କରାଯାଇଥିଲା। ସାଧାରଣ ନିର୍ବାଚନ ଭୋଟ ଗଣତି ଥିବାରୁ ଏବଂ ଆଚରଣ ବିଧି ଉଠି ନ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା ା ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଚଳିତ ମାସ ୧୦ ତାରିଖରେ ଜିଲାପାଳ ସଚିନ ପାଓ୍ବାର ସଦର ନିୟନ୍ତ୍ରିତ ବଜାର କମିଟି ପରିସରରେ ମଣ୍ଡି ଉଦ୍‌ଘାଟନ କରିଥିଲେ। ଉକ୍ତ ଦିନ ମାଲକାନଗିରି ଅଞ୍ଚଳର ଅନେକ ଚାଷୀ ସେମାନଙ୍କ ମୁଗ ଏବଂ ବାଦାମ ବିକ୍ରି କରିଥିଲେ। କିନ୍ତୁ କାଲିମେଳା ବ୍ଲକ୍‌ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ସେମାନଙ୍କ ମୁଗ ଓ ବାଦାମ ମଣ୍ଡିରେ ବିକ୍ରିକରି ପାରୁନାହାନ୍ତି। ଫଳରେ ଶହ ଶହ କୁଇଣ୍ଟାଲ ବାଦାମ ଓ ମୁଗ ମଣ୍ଡିରେ ପଡ଼ି ରହିଛି।
ଚଳିତ ବର୍ଷ ନିୟନ୍ତ୍ରିତ ବଜାର କମିଟି ତରଫରୁ ପ୍ରତି ସୋମବାର ଏମ୍‌ପିଭି ୮୧, ମଙ୍ଗଳବାର କାଲିମେଳା, ବୁଧବାର ଏମ୍‌ଭି ୭୯ ଭେଜାଙ୍ଗିବାଡା, ଗୁରୁବାର କୋରୁକୋଣ୍ଡା, ଶୁକ୍ରବାର ପୁସୁଗୁଡା ଓ ଚିତ୍ରଙ୍ଗପାଲୀ ମଣ୍ଡିରେ ଚାଷୀମାନେ ସେମାନଙ୍କ ମୁଗ ଓ ଚିନାବାଦାମ ବିକ୍ରି କରିପାରିବେ ବୋଲି ଦିନ ଧାର୍ଯ୍ୟ କରା ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଚାଷୀମାନେ ନିଜ ନିଜ ଉପତ୍ାଦିତ ଶସ୍ୟ ମଣ୍ଡିରେ ଗଚ୍ଛିତ ରଖିଛନ୍ତି। ପ୍ରାୟ ୧ ସପ୍ତାହ ହେଲା କାଲିମେଳା ବ୍ଲକ୍‌ ସଦର ମହକୁମା ମଣ୍ଡିରେ ୪୦୦ କୁଇଣ୍ଟାଲ ଚିନାବାଦାମ ପଡ଼ି ରହିଥିଲା ବେଳେ ଚାଷୀମାନେ ଜଗି ରହିଛନ୍ତି। ଏହି ମଣ୍ଡିରେ ଚାଷୀ ନିରଞ୍ଜନ ମିସ୍ତ୍ରି, କୃଷ୍ଣପଦ ବେପାରୀ, ଜଗା ପଡିଆମିଙ୍କ ଭଳିି ଅନେକ ଚାଷୀ ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ କାଲିମେଳା ଲ୍ୟାମ୍ପସ୍‌ ପରିଚାଳକ କହିଛନ୍ତି, ରାଜ୍ୟରେ ନୂତନ ସରକାର ଗଠନ ହୋଇଥିବା ବେଳେ ନିଦ୍ଦେର୍ର୍ଶ ଆସିବା କ୍ଷଣି ଖୁବ୍‌ ଶୀଘ୍ର ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ମୁଗ ଓ ଚିନାବାଦାମ କିଣାଯିବ ା ଏଠାରେ ଚାଷୀ ମାନେ ଅଭିଯୋଗ କରିଛନ୍ତି, ଏହା ଯଦି ସତ୍ୟ ତେବେ ଗତ ୧୦ ତାରିଖରେ ମାଲକାନଗିରିଠାରେ କିପରି ମଣ୍ଡିର ଶୁଭାରମ୍ଭ କରାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ।

Share