ରୁଷିଆ ସେନାରେ ବଢୁଛି ଅସନ୍ତୋଷ, ସୀମା ଚିନ୍ତା ନେଇ ବିବ୍ରତ ପୁଟିନ…

ମସ୍କୋ,୧୮।୭ : ରୁଷିଆ-ୟୁକ୍ରେନ ଯୁଦ୍ଧର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ଏହା ଶୀଘ୍ର ସମାପ୍ତ ହେବାର କୌଣସି ଲକ୍ଷଣ ଦେଖାଉ ନାହିଁ। ଏବେ ଏଭଳି ଏକ ଖବର ଆସିଛି, ରୁଷିଆ ସେନାରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବାସ୍ତବରେ, ୟୁକ୍ରେନର ମିଲିଟାରୀ ଇଣ୍ଟେଲିଜେନ୍ସ ରୁଷିଆର ସୈନିକମାନଙ୍କ ମଧ୍ୟରେ ବାର୍ତ୍ତାଳାପକୁ ଇଣ୍ଟରସେପ୍ଟ କରିଛି। ଏହି ବାର୍ତ୍ତାଳାପରେ ରୁଷିଆର ସୈନିକମାନେ ସେମାନଙ୍କ ବ୍ରିଗେଡରେ ଗୁଳି ବିନିମୟ ବିଷୟରେ କହୁଛନ୍ତି। ୟୁକ୍ରେନ ଗୁପ୍ତଚର କହିଛନ୍ତି ଏହା ଯୁଦ୍ଧ ଦ୍ୱାରା ପ୍ରଭାବିତ ରୁଷିଆ ସୈନିକମାନଙ୍କର ମାନସିକ ସ୍ଥିତିକୁ ଦର୍ଶାଉଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହସ୍ତଗତ ହୋଇଥିବା ବାର୍ତ୍ତାଳାପରେ ଜଣେ ରୁଷିଆର ସୈନିକ କହୁଛନ୍ତି ତାଙ୍କ ବ୍ରିଗେଡର ଜଣେ ସୈନିକ ନିଜ ସାଥୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଗୁଳି ଚାଳନାରେସେ ସୈନିକଙ୍କର ମୃତ୍ୟୁ ଘଟିଛି। ତେବେ ଗୁଳି ବିନିମୟରେ କେତେ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି ତାହା ଜଣା ପଡିନାହିଁ। ରୁଷିଆର ସୈନିକମାନେ କଠିନ ପରିସ୍ଥିତିରେ ୟୁକ୍ରେନରେ ଯୁଦ୍ଧ କରୁଛନ୍ତି ଏବଂ କିଛି ସୈନିକ ମଧ୍ୟ ସାମ୍ନାକୁ ଯିବାକୁ ମନା କରି ଦେଇଛନ୍ତି।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା ଯେଉଁଥିରେ ରୁଷିଆର ସୈନିକମାନେ ଯୁଦ୍ଧର ସାମ୍ନାକୁ ଯିବାକୁ ମନା କରିବାରୁ ସେମାନଙ୍କ କମାଣ୍ଡିଂ ଅଫିସରଙ୍କ ଦ୍ୱାରା ଦଣ୍ଡିତ ହୋଇଥିବା ଦେଖାଯାଇଥିଲା। ରୁଷିଆର ଜେନେରାଲ ଇଭାନ ପପୋଭଙ୍କର ଏକ ଅଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ବରିଷ୍ଠ ସୈନିକମାନଙ୍କୁ ସମାଲୋଚନା କରୁଥିବା ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି। ଏହି ଘଟଣାଗୁଡ଼ିକରୁ ଏହା ସ୍ପଷ୍ଟ ରୁଷିଆ ସେନା ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଫଳରେ ଦେଶର ସୀମା ଚିନ୍ତା ନେଇ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବିବ୍ରତ ହୋଇପଡ଼ିଛନ୍ତି।

 

 

Share