ଗଞ୍ଜାମ,୧୧ା୧୨(ଡି.ଏନ୍.ଏ.): ଗରିବ ଜନସାଧାରଣଙ୍କ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେଥିମଧ୍ୟରୁ ଆହାର ଯୋଜନା ଅନ୍ୟତମ। ସରକାରଙ୍କ ପକ୍ଷରୁ ଆହାର କେନ୍ଦ୍ର ଖୋଲାଯାଇଛି। ୫ ଟଙ୍କାରେ ଜଣେ ବ୍ୟକ୍ତି ଆରାମରେ ଖାଇ ପାରିବେ। କିନ୍ତୁ ଗଞ୍ଜାମ ସହରସ୍ଥିତ ମିନି ଷ୍ଟାଡିୟମଠାରେ ଥିବା ଆହାର କେନ୍ଦ୍ରରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି। ଏହି ଆହାର କେନ୍ଦ୍ରରେ ବିଶେଷ କରି ଗଞ୍ଜାମ ସହରକୁ ଆସୁଥିବା ପନିପରିବା ବ୍ୟବସାୟୀ ଓ ଅନ୍ୟାନ୍ୟ ବେପାରୀ ନିର୍ଭର କରିଥାନ୍ତି। ସେଠାରେ କିଛି ଲୋକଙ୍କୁ ପାର୍ଶଲ ଦିଆଯାଉଥିବା ବେଳେ କିଛି ମହିଳା ବେପାରୀଙ୍କୁ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି। ମହିଳା ବେପାରୀଙ୍କ କହିବା ଅନୁଯାୟୀ, ବଜାରରେ ନିଜ ପନିପରିବା ଛାଡ଼ି ସେଠାରେ ଘଣ୍ଟା ଘଣ୍ଟା ସମୟ ବିତୁଛି l ଏଣି ନିଜ ଦୋକାନ ଠାରେ ଖାଇବା ପାଇଁ ପାର୍ଶଲ ଦିଆଗଲେ ଭଲ ହୁଅନ୍ତା ବୋଲି ସେମାନେ କହିଛନ୍ତି। ଏଥିପ୍ରତି ଏନ୍ଏସି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।