
ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ମଙ୍ଗଳବାର କ୍ୟାଡ଼ର ପୁନଃଗଠନକୁ ଅନୁମୋଦନ ଦିଆଯାଇଛି। ଉକ୍ତ ପୁନଃଗଠନରୁ ପିଅନ, ରାତ୍ର ଜଗୁଆଳି, ଡ୍ରାଇଭରଙ୍କୁ ବାଦ ଦିଆଯାଇଛି। ଯାହାକୁ ନେଇ ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘ କେନ୍ଦ୍ରୀୟ ସଂଘ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।
ଏନେଇ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ସରକାର ତୁରନ୍ତ ଉକ୍ତ କର୍ମଚାରୀଙ୍କ କଥାକୁ ବିଚାରକୁ ନେଇ ସେମାନଙ୍କୁ କ୍ୟାଡ଼ରଭୁକ୍ତ କରନ୍ତୁ। ନଚେତ୍ ଆଗାମୀ ଦିନରେ ସଂଘ ପକ୍ଷରୁ ଏନେଇ ରାଜ୍ୟ ସାରା ଆନ୍ଦୋଳନ କରାଯିବ। ଅନାବଶ୍ୟକ ଭାବରେ ଅନେକ ଅଧିକାରୀଙ୍କୁ କ୍ୟାଡ଼ରଭୁକ୍ତ କରାଯାଇଛି । ଯାହାକି ଆଗରୁ ନ ଥିଲା। ଏହା କର୍ମଚାରୀ ଶୋଷଣର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଛନ୍ତି। ଏଥିସହ ସଂଗ୍ରାମଙ୍କ ନେତୃତ୍ୱରେ କିଛିଦିନ ପୂର୍ବେ ଭଞ୍ଜନଗର ଶାଖାର ଏକ ବୈଠକ ହୋଇଥିଲା। ବୈଠକରେ ସଙ୍ଘର ବିଭିନ୍ନ ସମସ୍ୟା ଓ ତାର ନିରାକରଣ କିଭଳି ହୋଇପାରିବ ସେନେଇ ଆଲୋଚନା ହୋଇଥିଲା।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ୧୨୫୩ ଜଣ କ୍ୟାଡ଼ର ଭୁକ୍ତ ହୋଇଛନ୍ତି । ସେଥିମଧ୍ୟରୁ ଅଫିସର୍ ଠାରୁ ଆରମ୍ଭ କରି କିରାଣୀ ପର୍ଯ୍ୟନ୍ତ ଅଛନ୍ତି। କିନ୍ତୁ ଡ୍ରାଇଭର, ପିଅନ, ରାତ୍ର ଜଗୁଆଳି ଉକ୍ତ କ୍ୟାଡ଼ରରୁ ବଞ୍ଚିତ ହୋଇଛନ୍ତି।