ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧ା୯(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରୁ ପାଣିଗଣ୍ଡା ରାସ୍ତା ସାମ୍ପ୍ରସାରଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଜନଅସନ୍ତୋଷ ଦେଖାଯାଇଛି। ଶୁକ୍ରବାର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ପଞ୍ଚାୟତବାସୀ ଏକାଠି ହେବା ସହ ବଜାର କମିଟି ମିଳିତ ବ୍ରାହ୍ମଣୀଗାଁ ବନ୍ଦ ଡାକରା ଦେଇଛନ୍ତି। ଯାତ୍ରୀବାହୀ ଗାଡ଼ି ଚଳାଚଳ ସ୍ବାଭାବିକ ରହିଥିବା ବେଳେ ବଜାର, ସ୍କୁଲ, କଲେଜ ଆଦି ବନ୍ଦ ରହିଛି। ବିକ୍ଷୋଭକାରୀମାନେ ପିକେଟିଂ କରି ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଛି।

ପ୍ରକାଶ ଯେ, ପୂର୍ତ୍ତ ବିଭାଗର ଏହି ରାସ୍ତା ନିର୍ମାଣ ମାତ୍ର ଏକ ମାସ ମଧ୍ୟରେ ଶେଷ କରିବାକୁ ଯୋଜନା କରାଯାଇଥିବା ବେଳେ ତାହା ଦୀର୍ଘମାସ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟକାରୀ ହୋଇପାରୁନି। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କାର୍ଯ୍ୟ ଶେଷ ହେଉନାହିଁ। ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ହେଉଥିବାରୁ ପ୍ରବଳ ଧୂଳି ଉଡ଼ିବା ସହ ଗୋଡ଼ି ଯୋଗୁ ରାସ୍ତାରେ ଲୋକେ ଯାତାୟାତ କରିବା କଷ୍ଟ ହୋଇପଡୁଛି। ଫଳରେ ପ୍ରଦୂଷଣ ବୃଦ୍ଧି ହେଉଥିବା ଅଞ୍ଚଳବାସୀ କହିଛନ୍ତ। ବିଭାଗର ଅବହେଳା ପାଇଁ ଠିକାସଂସ୍ଥା କାର୍ଯ୍ୟ କରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।

Share