କେନ୍ଦୁଝର,୨ା୧୧(ସ୍ବ.ପ୍ର.): ଚକ୍ରଧରପୁର ଡିଭିଜନର ଡାଙ୍ଗୁଆପଶି ୟାର୍ଡରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ ହେବାକୁ ଯାଉଥିବାରୁ ଉକ୍ତ ଲାଇନ ଦେଇ ଚଲାଚଳ କରୁଥିବା ଏବଂ କେନ୍ଦୁଝର ଜିଲାରେ ଏକାଧିକ ଟ୍ରେନ୍କୁ ୩ରୁ ୮ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଦକ୍ଷିଣପୂର୍ବ ରେଳବାଇ ବିଭାଗ ପକ୍ଷରୁ ଏନେଇ ଏକ ଚିଠି କରାଯାଇଛି। ଦୈନିକ ବଡ଼ବିଲ-ପୁରୀ ଓ ପୁରୀ-ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ, ସାପ୍ତାହିକ ଟାଟା-ବିଶାଖାପାଟନମ ଓ ବିଶାଖାପାଟନମ-ଟାଟା, ଦୈନିକ ଟାଟା-ବଡ଼ବିଲ ଓ ବଡବିଲ-ଟାଟା ପାସେଞ୍ଜର ଟ୍ରେନ୍ ବାତିଲ ହୋଇଥିବା ବେଳେ ହାଓ୍ବଡ଼ା-ବଡବିଲ-ହାଓ୍ବଡ଼ା ଜନଶତାବ୍ଦୀ ଟ୍ରେନକୁ ବାତିଲ କରାଯାଇ ଉକ୍ତ ଟ୍ରେନ୍କୁ ହାଓ୍ବଡ଼ାରୁ ଚାଇଁବସା ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଜଣାପଡ଼ିଛି। ସେହିପରି ମାଲ୍ବାହୀ ଟ୍ରେନ୍ ଚଳାଚଳ ଉପରେ ମଧ୍ୟ କଟକଣା କରାଯାଇଛି। ତେବେ ପୁରୀ-ବଡ଼ବିଲ ଟ୍ରେନକୁ ଅନ୍ୟ ଟ୍ରେନ୍ ଭଳି ବାଂଶପାଣି କିମ୍ବା କେନ୍ଦୁଝର ପର୍ଯ୍ୟନ୍ତ ଚଳାଚଳ ନ କରାଇ ବାତିଲ କରାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।