ଫୁଲବାଣୀ ଅଫିସ, ୧୬।୫: ଫୁଲବାଣୀ କରୋନେଶନ ପଡିଆରେ ଗତ ୧୩ ତାରିଖରୁ ଚାଲିଥିବା ପଲ୍ଲିଶ୍ରୀ ମେଳାରେ ଆରମ୍ଭରୁ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ମେଳାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲେ ମଧ୍ୟ ଅତିଥି ଚୟନକୁ ନେଇ କେତେଜଣ ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି ଏବଂ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ା ପୌର ପରଷଦରେ ଏହି ମେଳା ହେଉଛି। ହେଲେ ପୌରାଧ୍ୟକ୍ଷାଙ୍କୁ ଅତିଥି ଭାବେ ଡକା ନ ଯିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି ା ଏହାକୁ ନେଇ ବିଭିନ୍ନ ଆଲୋଚନା ଜୋର ଧରିଛି ା ଅନ୍ୟପକ୍ଷରେ ଉଦ୍ଘାଟନୀ ଉତ୍ସବରେ ଫୁଲବାଣୀ, ବାଲିଗୁଡା ଏବଂ ଜି.ଉଦୟଗିରିର ବିଧାୟକଙ୍କୁ ଅତିଥି ଭାବେ ଡକା ଯାଇଥିଲା ମଧ୍ୟ ସେମାନେ ଆସିଲେ ନାହିଁ। ୧୪ ତାରିଖରେ ଅତିରିକ୍ତ ଜିଲାପାଳଙ୍କୁ ଅତିଥି କରାଯାଇଥିଲା ବେଳେ ସେ ବି ମଞ୍ଚରେ ଅନୁପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଯୋଗଦେବାକୁ ଅତିଥିମାନଙ୍କ ସହ ଆଲୋଚନା ହୋଇଥିଲା କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏ ନେଇ ଓରମାସ ସହକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଗା ପ୍ରସାଦ ଭୂୟାଁଙ୍କୁ ପଚାରିବାରେ ସବୁ ନିଷ୍ପତ୍ତି ଉଚ୍ଚ ପଦସ୍ଥ ଅଧିକାରୀ ନେଇଥିବା ସେ କହିଛନ୍ତି। ହେଲେ କାହାରି ନାଁ କହିବାକୁ ସେ ମନା କରିଥିଲେ। ସୂଚନାଯୋଗ୍ୟ, ପଲ୍ଲିଶ୍ରୀ ମେଳା ଓରମାସ ପକ୍ଷରୁ ଚାଲିଛି ା ମେଳାରେ ଯେତିକି ସ୍ବୟଂ ସହାୟିକା ଗୋଷ୍ଠି ଏବଂ ଅନ୍ୟ ଅନୁଷ୍ଠାନ ଆସିବାର ଥିଲା ବର୍ତ୍ତମାନ ସୁଦ୍ଧା ସେତିକି ଆସିନାହାନ୍ତି। ଷ୍ଟଲ ପାଇଁ ଅଧିକ ଟଙ୍କା ନିଆଯାଇ ଥିବା ମାଲିକମାନେ କହୁଛନ୍ତି। ଅନ୍ୟପକ୍ଷରେ ଖାଦ୍ୟ ଅତ୍ୟନ୍ତ ନିମ୍ନମାନର ପରଷା ଯାଉଥିବା ଲୋକେ କହୁଛନ୍ତି। ଖୋଦ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧ୍ୟ ସେଠାକୁ ଯାଉନାହାନ୍ତି। ତାଙ୍କୁ ନିମନ୍ତ୍ରଣ କାର୍ଡ ଦିଆ ଯାଇ ନ ଥିବା ପରୋକ୍ଷରେ ସ୍ବୀକାର କରିଛନ୍ତି।