ବାରିପଦା,୧୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ରାଜ୍ୟ ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ରହୁଥିବା ମହାବଳ ବାଘୁଣୀ ଜିନ୍ନତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୧୦ ଦିନ ପରେ ଜଙ୍ଗଲକୁ ଚରିବାକୁ ଯାଇଥିବା ଏକ ବଳଦକୁ ସେ ଶିକାର କରିଥିଲା। ଏହାଦେଖି ଲୋକେ ଜୀବନ ବଞ୍ଚାଇବାକୁ ଜଙ୍ଗଲରୁ ବାହାରକୁ ଦଉଡି ଆସିଥିଲେ। ଏନେଇ ଜଙ୍ଗଲ ସନ୍ନିକଟ ଗ୍ରାମଗୁଡ଼ିକରେ ଅସନ୍ତୋଷ ତେଜିବାରେ ଲାଗିଛି। ଉକ୍ତ ଗାଁ ରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକ ୧୦ଦିନ ହେଲା ବନ୍ଦ ରହିଥିବା ବେଳେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ବଳଦକୁ ମାରି ଘୋଷାଡ଼ି ନେଇ ଖାଇବା ଆରମ୍ଭ କରିବା ଜାଣି ବନ ବିଭାଗର କର୍ମଚାରୀମାନେ ପହଞ୍ଚତ୍ବାରୁ ପେଟପୁରା ଖାଇ ନ ପାରି ଜିନ୍ନତ ଭୟରେ ଜଙ୍ଗଲ ମଧ୍ୟକୁ ପଳାଇଯାଇଛି। ଜିନ୍ନତକୁ ବନ କର୍ମଚାରୀଙ୍କ ଭୟ ଘାରିଥିବା ବେଳେ ବାଘକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ସୂଚନାଯୋଗ୍ୟ, ଡିସେମ୍ବର ୯ରେ ମହାବଳ ବାଘୁଣୀ ଜିନ୍ନତ ଶିମିଳିପାଳ ସୀମା ପାର୍ ହୋଇ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁର ବନଖଣ୍ଡ ଚକୁଳିଆ ରେଞ୍ଜ ଅଞ୍ଚଳ ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ରହି ଆସୁଛି। ସୋମବାର ରାଜାବସା ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ଲୋକେ ବାଘୁଣୀର ଗର୍ଜନ ଶୁଣି ଜୀବନ ବିକଳରେ ବାହାରକୁ ପଳାଇ ଆସିଥିଲେ। ପରେ ସେ ଏକ ବଳଦକୁ ମାରି ଘୋଷାଡ଼ି ନେଇ ଖାଉଥିବା ସମୟରେ ବନ କର୍ମଚାରୀଙ୍କୁ ଦେଖି ଜଙ୍ଗଲ ମଧ୍ୟରେ ଲୁଚିଯାଇଥିଲା। ସେଠାକାର ଦୁଇ ଜଙ୍ଗଲରେ ଜିନ୍ନତ ଚଳପ୍ରଚଳ କରୁଥିବାରୁ ଟ୍ରାକିଂ ସମ୍ଭବ ହୋଇପାରୁ ନାହିଁ ା ଫଳରେ ବାଘର ଗତିବିଧି ନୀରିକ୍ଷଣରେ ସାମାନ୍ୟ ଅଡୁଆ ପରିସ୍ଥିତି ଉପୁଜୁଥିବାରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀମାନେ ନୟାନ୍ତ ହୋଇପଡିଛନ୍ତି। ଜିନ୍ନତକୁ ଧରିବା ପାଇଁ ବନ କର୍ମଚାରୀମାନେ ପ୍ରୟାସ ଜାରି ରଖିଥିଲେ ସୁଦ୍ଧା ସଫଳ ହୋଇପାରୁ ନାହାନ୍ତି।
ଅନ୍ୟ ପକ୍ଷରେ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ଜଙ୍ଗଲରେ ଜିନ୍ନତ ଓ ଯମୁନା ବାଲ୍ୟକାଳରୁ ବିରାଟକାୟ ପ୍ରାଣୀ ହାତୀକୁ ଦେଖି ନ ଥିଲେ। ତେଶୁ ଶିମିଳିପାଳ ଅଭୟାରଣ୍ୟ ଓ ଝାଡ଼ଖଣ୍ଡ ଜଙ୍ଗଲରେ ହାତୀଙ୍କୁ ଦେଖି ଉଭୟ ବାଘୁଣୀ ଭୟାତୁର ହୋଇ ଜଙ୍ଗଲ ଛାଡ଼ିଥିବା ନେଇ ପରିବେଶବିତ୍ ସଂଯୁକ୍ତା ବସା କହିଛନ୍ତି। ଶିମିଳିପାଳ ପରିବେଶ ସହିତ ଖାପଖୁଆଇବାକୁ ଦୁଇ ବାଘୁଣୀ ସକ୍ଷମ ହୋଇପାରି ନ ଥିବାରୁ ଶିମିଳିପାଳ ଛାଡ଼ି ଅନ୍ୟ ଜଙ୍ଗଲରେ ନିଜର ଟେରିଟୋରିଆଲ(ବାସସ୍ଥାନ) ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଝାଡ଼ଖଣ୍ଡ ଗ୍ରାମ୍ୟ ଜଙ୍ଗଲରେ ବାଘର ଖାଦ୍ୟାଭାବ ଓ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରା ନ ଗଲେ ଉଭୟ ବାଘୁଣୀ ଓ ଲୋକଙ୍କ କ୍ଷତି ଘଟିବ ବୋଲି ଆଶଙ୍କା କରାଯାଉଛି ା ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରି ବାଘର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆ ନ ଗଲେ ଅଘଟଣ ଘଟିବା ସୁନିଶ୍ଚିତ ବୋଲି ପରିବେଶବିତ୍ ବସା କହିଛନ୍ତି। ସେହିପରି ଯମୁନା ମଧ୍ୟ କୁଲଡ଼ିହା ଅଭୟାରଣ୍ୟରେ ପହଞ୍ଚତ୍ଥିବାରୁ ତାର ଗତିବିଧିକୁ ନେଇ ଆବଶ୍ୟକ ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ପ୍ରାଣୀପ୍ରେମୀମାନେ ମତପ୍ରକାଶ କରିଛନ୍ତି।
ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡର ରାଜାବସା ଓ ବାଲେଶ୍ୱର ଜିଲା କୁଲଡ଼ିହା ଜଙ୍ଗଲକୁ ପଳାଇଥିବା ଦୁଇ ମହାବଳ ବାଘୁଣୀ ଜିନ୍ନତ ଓ ଯମୁନା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଟିଛନ୍ତି। ଉଭୟଙ୍କ ଗତିବିଧି ଉପରେ ବନ ବିଭାଗର ପୃଥକ ଟିମ୍ ସମ୍ପୂର୍ଣ୍ଣ ନଜର ରଖିଛି। ରେଡିଓ କଲାର ମାଧ୍ୟମରେ ସେମାନଙ୍କ ଚଳପ୍ରଚଳ, ଖାଦ୍ୟପାନୀୟ ଗ୍ରହଣ ଓ ସ୍ଥିତି ଟ୍ରାକିଂ କରାଯାଉଛି। ତେବେ ଜଙ୍ଗଲରୁ ଜଙ୍ଗଲକୁ ମହାବଳ ବାଘୁଣୀ ଘୂରିବୁଲି ନିଜର ଟେରିଟୋରିଆଲ(ବାସସ୍ଥାନ) ପ୍ରସ୍ତୁତ କରିଥାନ୍ତି। ବାଘ ଜଙ୍ଗଲରେ ବୁଲିବା ଏକ ସାଧାରଣ ପ୍ରକ୍ରିୟା ା ଖୁବ୍ଶୀଘ୍ର ଉଭୟ ବାଘୁଣୀ ଶିମିଳିପାଳକୁ ଫେରିବେ ବୋଲି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଉତ୍କୃଷ୍ଟ ବାସସ୍ଥଳୀ ଥିବା ସତ୍ତ୍ୱେ ଏହି ଦୁଇ ବାଘୁଣୀ ଜଙ୍ଗଲ ଛାଡ଼ିବା ଘଟଣା ବନ୍ୟପ୍ରାଣୀ ପ୍ରେମୀଙ୍କୁ ବ୍ୟଥିତ କରିଛି ା
ବାଘୁଣୀ ଦ୍ୱୟ ନିଜର ସୁରକ୍ଷିତ ବାସସ୍ଥଳୀ ଖୋଜିବାକୁ ଯାଇ ଦୀର୍ଘ କିମି ଅତିକ୍ରାନ୍ତ କରି ଅନ୍ୟ ଜଙ୍ଗଲକୁ ଚାଲିଯାଇଛନ୍ତି ା ଏପରିକି ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ରାଜ୍ୟର ରାଜାବସା ଗ୍ରାମ୍ୟ ଜଙ୍ଗଲରେ ୧୦ ଦିନ ହେଲା ରହିଥିବା ବେଳେ ଯମୁନା କୁଲଡିହା ଅଭୟାରଣ୍ୟରେ ପହଞ୍ଚତ୍ଛି। ବାଘର ଜେନେଟିକ ପରିବର୍ତ୍ତନରେ ନିଆଯାଇଥିବା ମିଶନ ସଫଳ ହେବା ପରିବର୍ତ୍ତେ ବିଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଭାଗ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିରେ ଆଂଶିକ ତ୍ରୁଟି ପରିଲକ୍ଷିତ ହେଉଥିବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଶିମିଳିପାଳ ପରିବେଶ ଓ ପାଣିପାଗକୁ ଖାପଖୁଆଇବା ପାଇଁ ଦୁଇ ବାଘୁଣୀଙ୍କୁ ଏନ୍କ୍ଳୋଜରରେ ୨/୩ମାସ ପର୍ଯ୍ୟନ୍ତ ରଖିବାର ଆବଶ୍ୟକତା ରହିଥିଲା। ଶିମିଳିପାଳ ବନ୍ୟଜନ୍ତୁଙ୍କୁ ଶିକାର କରିବାକୁ ସୁଯୋଗ ସୃଷ୍ଟି କରିବା ସହିତ ପାହାଡ଼ିଆ ଅଞ୍ଚଳରେ ୨ ବାଘୁଣୀ ଚଳପ୍ରଚଳ କରିବାର ଅଭ୍ୟାସ ପାଇଁ ଏନ୍କ୍ଲୋଜରକୁ ବୃଦ୍ଧି କରିବାର ଆବଶ୍ୟକତା ରହିଥିଲା। ମିଶନ ଆରମ୍ଭ କରିବା ପୂର୍ବରୁ ଏକ୍ସପର୍ଟଙ୍କ ସହାୟତା ଲୋଡିବା ସହ ମତାମତ ନେବା ମଧ୍ୟ ଆଶବ୍ୟକ ଥିଲା। ଶିମିଳିପାଳରେ ରହୁଥିବା ବାଘଙ୍କ ସୁରକ୍ଷା ଦିଗରେ ରହିଯାଇଥିବା ତ୍ରୁଟିର ସଂଶୋଧନ କରାଯାଇଥିଲେ ଶିମିଳିପାଳରେ ରହୁଥିବା ବାଘଙ୍କ ଜେନଟିକ ପରିବର୍ତ୍ତନରେ ସୁଧାର ଆସିପାରନ୍ତା।