ଥଇଥାନ ନୀତିରେ ଅସନ୍ତୋଷ ବିସ୍ଥାପିତ

ଆର.ଉଦୟଗିରି,୧୮।୧୦(ମନୋଜ ପାଢୀ): ଗଜପତି ଜିଲା ଆର.ଉଦୟଗିର ବ୍ଳକ ଛେଳିଗଡରେ କାର୍ଯ୍ୟକାରୀ ହେଉଥିବା ବିଦ୍ୟୁତ ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇ ପାରିନାହିଁ। ୧୯୮୫ ରେ ଏହି ପ୍ରକଳ୍ପର ସର୍ଭେ ଆରମ୍ଭ ହୋଇଥିଲା। ଲୋକଙ୍କୁ ବୁଝାସୁଝା କରି ୨୦୦୮- ୦୯ରେ କିଛି ବିସ୍ଥାପିତଙ୍କୁ ସେମାନଙ୍କ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ହେଲେ ପ୍ରଶାସନର ଅବହେଳା ଯୋଗୁଁ ସବୁ ବିସ୍ଥାପିତଙ୍କୁ ସେମାନଙ୍କର କ୍ଷତି ପୂରଣ ଅର୍ଥ ମିଳିନଥିବା ବିସ୍ଥାପିତ ସଂଗ୍ରାମ ସମିତି ଅଭିଯୋଗ କରିଛି। ୨୦୦୫-୦୬ରେ ବିସ୍ଥାପିତଙ୍କୁ ୫ ଏକର ଜମି ଦେବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏବେ କିନ୍ତୁ ବିସ୍ଥାପିତଙ୍କୁ ୨ଏକର ଜମି ଓ ଏକର ପିଛା ୮୫ ହଜାର ଟଙ୍କା ହିସାବରେ ତିନି ଏକର ଜମିର ଅର୍ଥ ଦିଆଯାଇଛି। ଏହି ମୂଲ୍ୟ ବଜାର ଦର ଠାରୁ କମ୍‌ ଥିବା ଅଭିଯୋଗ ହେଉଛି। ତେଣୁ ତିନି ଏକର ଜମିର ଅର୍ଥ ପରିବର୍ତ୍ତେ ଜମି ଦିଆଯାଉ ନଚେତ ବଜାର ଦର ମୂଲ୍ୟରେ ଜମିର ଅର୍ଥ ଦେବାକୁ ବିସ୍ଥାପିତ ସଂଗ୍ରାମ ସମିତି ସଭାପତି ଚୈତନ୍ୟ ଦାବି କରିଛନ୍ତି। ସୁଗୁବା, ତିଳିଗାଁ, ବିଦ୍ୟାଧରପୁର, ଚଡିଆପଦା ଏବଂ କାକିଲି ୫ଖଣ୍ଡ ଗ୍ରାମର ୩୫୦ ରୁ ୪୦୦ ପରିବାରକୁ ବିଡି ଅଞ୍ଚଳ ବିସ୍ଥାପିତ ଭାବେ ଚିହ୍ନଟ କରାଯାଇଛି। କିନ୍ତୁ ବିସ୍ଥାପିତଙ୍କ ସଂଖ୍ୟା ୯୦୦ରୁ ଉର୍ଦ୍ଧ୍ୱ ହେବ ବୋଲି ସମିତି ପକ୍ଷରୁ କୁହାଯାଉଛି। ସୁଗୁବା ଗ୍ରାମର ୧୦୨ ବିସ୍ଥାପିତ ପରିବାରକୁ ଥଇଥାନ କରିବା ପାଇଁ ଗଞ୍ଜମ ଜିଲାର ଗଡ ସାମନ୍ତରାପୁରରେ ଦୁଇଟି କଲୋନୀ ନିର୍ମାଣ କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା କଲୋନୀରେ ୧୦୨ ପରିବାର ନଥିବା ବିସ୍ଥାପିତ ସଂଗ୍ରାମ ସମିତି କହିଛି। ସେହିପରି ଚଢିଆପଦା ବିସ୍ଥାପିତ ପରିବାର ପାଇଁ ତରଙ୍ଗ ପାହାଡରେ ଚାଲୁ ରହିଛି ନିର୍ମାଣ କାର୍ଯ୍ୟ। ହେଲେ ନିର୍ମାଣ କାମ କେବେ ଶେଷ ହେବ କାହା ପାଖରେ ଉତ୍ତର ନାହିଁ। ବିସ୍ଥାପିତ ସେମାନଙ୍କ ସମସ୍ୟା ନେଇ ବହୁବାର ପ୍ରକଳ୍ପ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେ ଏହାର ସମାଧାନ ଦିଗରେ ତପ୍ତରତା ପ୍ରକାଶ କରୁ ନଥିବା ସମତି ଅଭିଯୋଗ କରିଛି। ଆଲୋଚନା ପାଇଁ ଜିଲାପାଳ ସଂଗ୍ରାମ ସମିତିକୁ ବହୁବାର ଡକାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଉ ନଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ ସଂଗ୍ରାମ ସମିତି। ତେବେ ଗତ ମାସ ୧୦ ତାରିଖରେ ବ୍ଳକ ପକ୍ଷରୁ ବିଡି ଅଞ୍ଚଳର ଯୁବକଙ୍କ ପାଇଁ ମହେନ୍ଦ୍ରଗଡ ପଞ୍ଚାୟତରେ ଏକ ନିୟୁକ୍ତି ଶିବିର ହୋଇଥିଲା। କିନ୍ତୁ ଏହାର ବିରୋଧ କରିଥିଲେ ଗ୍ରାମବାସୀ। ସେଠାରେ ଲାଗିଥିବା ବିସ୍ଥାପିତଙ୍କ ନାମ ଫଳକ ଉଠାଇ ନେଇଥିଲା ବିସ୍ଥାପିତ ସଂଗ୍ରାମ ସମିତି। ବିସ୍ଥାପିତଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ଛେଳିଗଡ ପ୍ରକଳ୍ପ ନିର୍ବାହୀ ଅଧିକାରୀ ବିରେନ୍ଦ୍ର କୁମାର ଜଗତଙ୍କୁ ପଚାରିବାରୁ ସେ କହିଥିଲେ ସେମାନଙ୍କ ପାଇଁ ଦ୍ରୁତଗତିରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଆସନ୍ତା ମାର୍ଚ୍ଚ କିମ୍ବା ଜୁନ ମାସ ସୁଦ୍ଧା ସମସ୍ତ
ବିସ୍ଥାପିତଙ୍କ ସମସ୍ୟା ଦୂର ହେବ।