କୋଣାର୍କ,୧୬।୭(ଜ୍ୟୋତିରାଜ ମହାନ୍ତି)କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ୨୦୧୭ରୁ ୨୦୨୨ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟରତ ପୂର୍ବତନ ମହିଳା କିରାଣି ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଜାଲ୍ ରସିଦ୍ ମାଧ୍ୟମରେ ୨୩ ଲକ୍ଷ ଟଙ୍କା ହରିଲୁଟ୍ ଘଟଣାରେ କଲେଜର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ, ଶିକ୍ଷା ନିର୍ଦ୍ଦେଶକ, ପୁରୀ ଜିଲାପାଳ, ପୁରୀ ଉପଜିଲାପାଳ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ଘଟଣାକୁ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ୫ଜଣିଆ କମିଟି ଗଠନ କରି ଏହାର ତଦନ୍ତ କରିବା ସହ ୨୩ ଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ନେଇ ଉଚ୍ଚଶିକ୍ଷା ବିଭାଗକୁ ସମ୍ପୃକ୍ତ ପୂର୍ବତନ ମହିଳା କିରାଣିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବଗତ କରାଇଥିଲେ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ମନୋରଞ୍ଜନ ନାୟକଙ୍କ ନିର୍ଦ୍ଦେଶରେ ଜୁନ୍ ୯ର ଦୁଇଜଣିଆ ଅଡିଟ୍ ଟିମ୍ ଭଗବତୀ ମହାବିଦ୍ୟାଳୟକୁ ଆସି ଅଡିଟ୍ କରିଥିଲେ। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଅଡିଟ୍ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ଅଡିଟ୍ ଟିମ୍ ଦୀର୍ଘ ୧ମାସ ୪ଦିନ ଧରି ଅଡିଟ୍ କରିବା ପରେ ୨୫ଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ଜାଣିବା ପରେ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ କିରାଣିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ହରିଲୁଟ୍ ଅର୍ଥ ୧୫ଦିନ ମଧ୍ୟରେ କଲେଜ ଆକାଉଣ୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ନିରପେକ୍ଷ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ, ପୁରୀ ଜିଲାପାଳଙ୍କୁ ଟୁଇଟ଼୍ କରି ସ୍ଥାନୀୟ ଖବରଦାତା ଭାଗୀରଥି ସ୍ବାଇଁ ଅନୁରୋଧ କରିଥିଲେ। ଏହି ଅଭିଯୋଗ ଆଧାରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉଚ୍ଚଶିକ୍ଷା ବିଭାଗକୁ ଯୁଦ୍ଧକାଳୀନ ଭିତ୍ତିରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ବତନ୍ତ୍ର ଅଡିଟ୍ ଟିମ୍ ୭ଦିନ ମଧ୍ୟରେ ଅଡିଟ୍ ଶେଷ କରିବା ପାଇଁ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କ ତାଗିଦ ଥିବା ବେଳେ ଏହା ୧ମାସ ୪ଦିନ ସମୟ ଲାଗିବା କେତେଦୂର ସମୀଚୀନ ତାହା କଲେଜର ପୁରାତନ ଓ ଅଧ୍ୟୟନରତ ଛାତ୍ରୀଛାତ୍ର, ବୁଦ୍ଧିଜୀବୀ, ଶିକ୍ଷାବିତ୍ଙ୍କ ପକ୍ଷରୁ ଅଡିଟ୍ ଟିମ୍ର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।