ଦୂଷିତ ପାନୀୟଜଳ ଯୋଗାଣ ନେଇ ଅସନ୍ତୋଷ

ପୋଲସରା,୩ା୭(ସୁବ୍ରତ ବେହେରା): ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ ଦୂଷିତ ପାନୀୟଜଳ ଯୋଗାଣକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ପକ୍ଷରୁ ବସୁଧା ଯୋଜନାରେ ଗ୍ରାମ ମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କାର୍ଯ୍ୟ କରୁଛନ୍ତି। ହେଲେ ଢୁଙ୍କାପଡ଼ା ଗ୍ରାମରେ ପାହାଡ ଉପରେ ଗୋଟିଏ ପାଣି ଟାଙ୍କି ନିର୍ମାଣ ହୋଇ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ଅନ୍ୟ ଗୋଟିଏ ନୂତନ ପାଣି ଟାଙ୍କି ନିର୍ମାଣ ଚାଲିଛି। ପାଣି ଟାଙ୍କି ଓ ପାଇପ୍‌ ଗୁଡିକର ରକ୍ଷଣା ବେକ୍ଷଣ ହେଉ ନଥିବାରୁ ଦୂଷିତ ପାନୀୟଜଳ ଯୋଗାଣ ହେଉଛି। ଦୂଷିତ ପାନୀୟ ଜଳ ପିଇବା ଦ୍ୱାରା ଟାଇଫଏଡ ଜ୍ୱର, କୋଲେରା, ଡାଇରିଆ, ହେପାଟାଇଟିସ- ଏ, ସାଲମୋନେଲା ଭଳି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏହିଭଳି ଦୂଷିତ ପାନୀୟଜଳ ଯୋଗାଣ ନେଇ ସ୍ଥାନୀୟ ନେତା ସଚେତନ ନୁହଁନ୍ତି। ବିଭାଗୀୟ ଯନ୍ତ୍ରୀ ମଧ୍ୟ ଜାଣି ଅଜଣା ଭଳି ରହୁଛନ୍ତି। ଢୁଙ୍କାପଡା ହେଉଛି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ଗାଁ। ଦୀର୍ଘ ବର୍ଷ ଧରି ପୋଲସରାରେ ପାନୀୟ ଜଳ ସମସ୍ୟା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଭଳି ବିଭିନ୍ନ ପ୍ରସଙ୍ଗ ରହିଛି। କିନ୍ତୁ ଢୁଙ୍କାପଡା ଠାରେ ଦୂଷିତ ପାନୀୟଜଳ ଯୋଗାଣକୁ ନେଇ କାହାର ନଜରକୁ ଆସିଲା ନାହିଁ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ। ଉକ୍ତ ସମସ୍ୟାକୁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପଚାରିବାରୁ ମୁଁ କିଛି ଜାଣି ନାହିଁ ବୋଲି ଜଳ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପଠୀ କହିଛନ୍ତି।

Share