ଦିନକରେ ୨ ସ୍ଥାନରେ କେନ୍ଦ୍ରକୁ ନେଇ ଅସନ୍ତୋଷ

କଟକ,୨୫।୬( ସୁପ୍ରିୟା ପ୍ରିୟଦର୍ଶିନୀ)ଆସନ୍ତା ଜୁଲାଇ ୧ରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହେବ। ଉକ୍ତ ଦିନ ପରୀକ୍ଷାର୍ଥୀମାନେ ଦୁଇଟି ପେପର ପରୀକ୍ଷା ଦେଇପାରିବେ। କିଛି ପରୀକ୍ଷାର୍ଥୀ ପେପର-୧ ଗୋଟିଏ ସ୍ଥାନରେ ଏବଂ ପେପର-୨ ଆଉ ଏକ ସ୍ଥାନରେ ଦେବା ପାଇଁ ସ୍ଥିର ହୋଇଛି। ଗୋଟିଏ ଦିନରେ ଦୁଇଟି ଭିନ୍ନ ସ୍ଥାନରେ କିପରି ପରୀକ୍ଷା ଦେବେ ତାହାକୁ ନେଇ ପରୀକ୍ଷାର୍ଥୀମାନେ ଚିନ୍ତାରେ ପଡିଛନ୍ତି। ତେବେ ପରୀକ୍ଷାର୍ଥୀମାନେ ସେମାନଙ୍କ ସମସ୍ୟା ଜଣାଇବା ପାଇଁ ବୋର୍ଡ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। କିନ୍ତୁ ଏହି ନମ୍ବରକୁ ଯୋଗାଯୋଗ କଲେ କେହି ଫୋନ୍‌ ଉଠାଉ ନ ଥିବା କେତେଜଣ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧ ତାରିଖ ପୂର୍ବାହ୍ନ ୮ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପେପର-୧ ଓ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଗୋଟିଏ ଦିନରେ ଦୁଇଟି ପେପର ପରୀକ୍ଷା ହେବାକୁ ଥିବାବେଳେ ପରୀକ୍ଷା କେନ୍ଦ୍ରର ସ୍ଥାନ ଭିନ୍ନ ରହିଛି। ଉଦାହରଣ ସ୍ବରୂପ ପେପର-୧ ପରୀକ୍ଷା ପାଇଁ କଟକରେ କେନ୍ଦ୍ର ହୋଇଥିବାବେଳେ ପେପର-୨ ପରୀକ୍ଷା ପାଇଁ ଜଗତ୍‌ସିଂହପୁରରେ କେନ୍ଦ୍ର ହୋଇଛି। ତେଣୁ ଏଭଳି ସ୍ଥିତିରେ ଅନେକ ପରୀକ୍ଷାର୍ଥୀ ପେପର-୨ ପରୀକ୍ଷା ଦେବାରୁ ବଞ୍ଚିତ ହେବା ସମ୍ଭାବନା ରହିଛି। କେତେଜଣ ପରୀକ୍ଷାର୍ଥୀ ଶନିବାର ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଏ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ବୋର୍ଡ ଦ୍ୱାରା କୌଣସି ତ୍ରୁଟି ହୋଇନାହିଁ। ଯଦି କୌଣସି ପରୀକ୍ଷାର୍ଥୀ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପତ୍ରରେ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ଫର୍ମପୂରଣ କରିବା ସମୟରେ ଉଭୟ ପତ୍ର ପରୀକ୍ଷାରେ ପଞ୍ଜୀକରଣ ନମ୍ବରକୁ ଦାଖଲ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ବହୁ ପରୀକ୍ଷାର୍ଥୀ ପ୍ରଥମ ପତ୍ରର ପଞ୍ଜୀକରଣ ନମ୍ବର ଦେଇଥିବାବେଳେ ସେହି ପଞ୍ଜୀକରଣ ନମ୍ବରକୁ ଦ୍ୱିତୀୟ ପତ୍ର ପରୀକ୍ଷା ଫର୍ମପୂରଣବେଳେ ଦେଇନାହାନ୍ତି। ଯେଉଁଥିପାଇଁ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର ସେମାନଙ୍କର ରହିଛି। ଯେଉଁମାନେ ଠିକ୍‌ ଭାବେ ନିୟମାବଳୀ ଅନୁସାରେ ଫର୍ମପୂରଣ କରିଛନ୍ତି, ସେମାନଙ୍କର ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି। ତେବେ ଏହି ଅସୁବିଧା ପରୀକ୍ଷାର୍ଥୀଙ୍କ ଦ୍ୱାରା ହୋଇଥିବାବେଳେ କିପରି ଦୂର କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ହାଜରା କହିଛନ୍ତି।

Share