ମାଟ୍ରିକ ପରୀକ୍ଷା ଫର୍ମପୂରଣ ବିଜ୍ଞପ୍ତିକୁ ନେଇ ଅସନ୍ତୋଷ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୧ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ନିମନ୍ତେ ଫର୍ମପୂରଣ ଓ ପରୀକ୍ଷା ଫିସ୍‌ ଦାଖଲ ସମ୍ପର୍କିତ ତାରିଖ ଘୋଷଣା କରାଯାଇଛି। ଏହାକୁ ନେଇ ଏବେ ଶିକ୍ଷକ ସଂଘ ଓ ଅଭିଭାବକମାନେ ବିରୋଧ କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତବର୍ଷ କରୋନା ପାଇଁ କ୍ଷତିଗ୍ରସ୍ତ ହୋଇଛନ୍ତି ଶିକ୍ଷାର୍ଥୀ। ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଛାତ୍ରୀଛାତ୍ର ବିଦ୍ୟାଳୟ ଯାଇନାହନ୍ତି। ପ୍ରାୟତଃ ବିନା ପରୀକ୍ଷା କିମ୍ବା ଅଧା ପରୀକ୍ଷାରେ ଶ୍ରେଣୀ ଉତ୍ତୀର୍ଣ୍ଣ କରି ଦିଆଯାଇଛି। ଅନ୍‌ଲାଇନ ଶିକ୍ଷାଦାନ ୨୦ରୁ ୨୫ଭାଗ ପିଲାଙ୍କ ପାଖରେ ପହଞ୍ଚତ୍ବା ସମ୍ଭବ ହୋଇପାରିଲା ନାହିଁ। ସରକାରଙ୍କ ପକ୍ଷରୁ ସିଲାବସ୍‌ରୁ ୩୦ପ୍ରତିଶତ ହ୍ରାସ କରାଯାଇଥିଲେ ମଧ୍ୟ ଅବଶିଷ୍ଟ ସମୟରେ ଆଉ ୭୦ପ୍ରତିଶତ ଶିକ୍ଷାଦାନ ହୋଇପାରିବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। ସେପଟେ ଡିସେମ୍ବର ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ତେଣୁ ଶିକ୍ଷାବର୍ଷର ଅବଧି ପରିବର୍ତ୍ତନର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ୨୦୨୧ ଜାନୁୟାରୀରୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସମଗ୍ର ଦେଶରେ ଏକକ ଭାବେ ଶିକ୍ଷାବର୍ଷ ଆରମ୍ଭ କରିବା ପାଇଁ ବୁଦ୍ଧିଜୀବୀଙ୍କ ପକ୍ଷରୁ ତଥା ଓଷ୍ଟା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ଓ ବିଦ୍ୟାଳୟର ଗଣଶିକ୍ଷା ବିଭାଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପରିଷଦ ଦ୍ୱାରା ସୂଚିତ ଫର୍ମପୂରଣ ଓ ପରୀକ୍ଷା ଫିସ୍‌ ଦାଖଲ ସମ୍ପର୍କିତ ବିଜ୍ଞପ୍ତିକୁ ସ୍ଥଗିତ ରଖନ୍ତୁ। ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ନବମ ଶ୍ରେଣୀରେ ନାମ ଲେଖାଇଥିବା ପିଲାଙ୍କର ଏନ୍‌ରୋଲମେଣ୍ଟ କରା ନ ଯାଉ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

Share