ତହସିଲଦାରଙ୍କ ଅସଦ୍‌ ବ୍ୟବହାର ନେଇ ବଢ଼ୁଛି ଅସନ୍ତୋଷ

ଗଞ୍ଜାମ,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଥିବା ଗ୍ରାସୀମ କମ୍ପାନୀର ସହ ପରିଚାଳକ (ଉତ୍ପାଦକ ) ଆଲୋକ ଦୋରାଙ୍କୁ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଇସ୍ତଫା ଲେଖେଇ ନେଇଥିଲେ। ଏ ନେଇ ଦୋରା କମ୍ପାନୀ ସମ୍ମୁଖରେ ୧୦ ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି। ଗଞ୍ଜାମ କ୍ରିୟାନୁଷ୍ଠାନ କମିଟି ଦୋରାଙ୍କୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନ ଜାରି ରହିଥିବା ବେଳେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଘଟଣାସ୍ଥଳକୁ ଯାଇ ଅଧିକ ଆଲୋଚନା ପାଇଁ କାର୍ଯ୍ୟାଳୟକୁ ଡାକିଥିଲେ। ତହସିଲଦାରଙ୍କ ଡାକରା ପରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ କାର୍ଯ୍ୟାଳୟ ଯିବା ପରେ ସେଠାରେ ସେମାନଙ୍କୁ ତହସିଲଦାର ନାୟକ ଗାଳିଗୁଲଜ କରିବା ସହ ଅଫିସରୁ ଚାଲିଯିବାକୁ କହିଥିବା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଜଣାଇଛନ୍ତି। ଏ ନେଇ ଅସନ୍ତୋଷ ଦେଖାଯାଇଛି l କମିଟି ପକ୍ଷରୁ ଜିଲାପାଳ, ଉପଜିଲାପାଳ ଓ ଗଞ୍ଜାମ ଏସ୍‌ପିଙ୍କୁ ଭେଟି ନ୍ୟାୟ ଦାବି କରିଛି l ନ୍ୟାୟ ନ ମିଳିଲେ ଆସନ୍ତା ୨୭ରେ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କମିଟି କୋଷାଧକ୍ଷ ସୁଦାମ ଜେନା ସୂଚନା ଦେଇଛନ୍ତି। ଏ ନେଇ ତହସିଲଦାରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ l

Share