କଲେଜ ପରିଚାଳନା କମିଟି ସଭାପତି ନିଯୁକ୍ତି ନେଇ ଅସନ୍ତୋଷ

ଲୋଇସିଂହା,୨୦ା୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତି ଚୟନକୁ ନେଇ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଲୋଇସିଂହା ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ଚୟନ କରାଯାଇଥିବାରୁ ଛାତ୍ର୍ର ଏବଂ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚୟନ କରାଯାଇଥିବା ନାମକୁ ବାତିଲ କରି ସ୍ଥାନୀୟ ଶିକ୍ଷାବିତ୍‌ଙ୍କ ନାମ ସୁପାରିସ କରି ନିଯୁକ୍ତ କରିବାକୁ ଦାବି ହୋଇଛି। ଗୁରୁବାର ଏନେଇ ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ଜରିଆରେ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସପ୍ତାହକ ମଧ୍ୟରେ ଏହା କାର୍ଯ୍ୟକାରୀ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ପୂର୍ବରୁ କଲେଜଗୁଡ଼ିକର ସଭାପତି ସ୍ଥାନୀୟ ବିଧାୟକ ରହିଆସୁଥିଲେ। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୂତନ ପରିଚାଳନା ସମିତି ପାଇଁ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିବା ୩ ଜଣ ବ୍ୟକ୍ତିଙ୍କ ନାମ ପ୍ରସ୍ତାବ ଦେବାକୁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଥିଲା। ଲୋଇସିଂହା କଲେଜ ପକ୍ଷରୁ ସୁବର୍ଣ୍ଣପୁର ଜିଲା ତରଭା କଲେଜରୁ ଅବସରଗ୍ରହଣ କରିଥିବା ଡ.ପ୍ରହଲ୍ଲାଦ ଶତପଥୀ, ପୁଷ୍ପାଳି ମିଶ୍ର ଓ ଲୋଇସିଂହା କଲେଜର ପ୍ରାକ୍ତନ ଅଧ୍ୟକ୍ଷ କାହ୍ନୁଚରଣ ଦର୍ଜିଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଲୋଇସିଂହା ଏବଂ କଲେଜ ସହ ପରିପୂରକ ନ ଥିବା ବଲାଙ୍ଗୀର ସହରର ନିବାସୀ ପୁଷ୍ପାଳି ମିଶ୍ରଙ୍କୁ ନିଯୁକ୍ତ କରଯାଇଛି। ଏହା ଜଣାପଡ଼ିବା ପରେ ପୁରାତନ ଛାତ୍ର ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଧ୍ୟକ୍ଷ ଗୋବିନ୍ଦ ସାହୁ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘବର୍ଷ ହେଲା ସେ ଅଧ୍ୟାପନା କରିଆସୁଛନ୍ତି। କଲେଜ ପ୍ରତିଷ୍ଠାତା ସଦସ୍ୟ ଏବଂ ଅଞ୍ଚଳରେ ବହୁ ଶିକ୍ଷାବିତ ରହିଛନ୍ତି। ମାତ୍ର ଲୋଇସିଂହା ଅଞ୍ଚଳର ୩ ଜଣ ଶିକ୍ଷାବିତ୍‌ଙ୍କ ନାମ ପ୍ରସ୍ତାବ ନ ଦେଇ ବାହାର ୨ ଜଣଙ୍କ ନାମ ପ୍ରସ୍ତାବ ଦେବା ଅଞ୍ଚଳବାସୀଙ୍କ ପାଇଁ ବିଡ଼ମ୍ବନା ବୋଲି ପୁରାତନ ଛାତ୍ର ଓ ବୁଦ୍ଧିଜୀବୀ କହିଛନ୍ତି। ଭୂତନାଥ ନାଏକ, ଶଙ୍କର ସାହୁ, ସରପଞ୍ଚ ନବକିଶୋର ନାଏକ,ସରୋଜ ବିଶ୍ୱାଳ,ଲଲିତ ପଧାନ, ରଞ୍ଜନ ବେହେରା, ପ୍ରକାଶ ମହାରଣା, ହୃଷୀକେଶ ବାରିକ, ଭାଗବତିଆ ଭୋଇ, ଶିବକୁମାର ଅଗ୍ରଓ୍ବାଲ, ଅରବିନ୍ଦ ସାହୁ ପ୍ରମୁଖ  ବିଡିଓଙ୍କୁ ଭେଟିଥିଲେ।