Categories: ଅନୁଗୋଳ

ମାଛ ଭାଗବଣ୍ଟାକୁ ନେଇ ଅସନ୍ତୋଷ, ପୋଖରୀ କୂଳରେ ପଡ଼ିରହିଲା ୫୦ କିଲୋ ମାଛ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା କୋରଡା ଗ୍ରାମରେ ବଡ଼ବନ୍ଧ ପୋଖରୀ ମାଛ ଭାଗବଣ୍ଟାକୁ କେନ୍ଦ୍ରକରି ରବିବାର ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ବଡବନ୍ଧ ପୋଖରୀ କୂଳରେ ୫୦ କିଲୋରୁ ଊର୍ଦ୍ଧ୍ୱ ମାଛ ପଡ଼ି ରହିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କୋରଡା ଗ୍ରାମ ସଭାପତି ମିତ୍ରଭାନୁ ପ୍ରଧାନଙ୍କ ନେତୃତ୍ୱରେ ବଡ଼ବନ୍ଧ ପୋଖରୀରୁ ମାଛ ମରାଯାଇଥିଲା। ପରେ ଗ୍ରାମରେ ଥିବା ୫ଟି ସାହିର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ୬୨୦ ପରିବାର ପାଇଁ ଲୋକସଂଖ୍ୟା ଅନୁଯାୟୀ ଭାଗ କରାଯିବା ସହିତ ଭଦ୍ରବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ମାଛ ଦିଆଯାଇଥିଲା। ତେବେ ଗୋଚ୍ଛାୟତ ପଡାକୁ ଛୋଟ ମାଛ ଦିଆଯାଇଥିବା ଅଭିଯୋଗ ଉଠିଥିଲା। ଗୋଚ୍ଛାୟତପଡାରୁ ଆସିଥିବା ଭଦ୍ର ବ୍ୟକ୍ତିମାନେ ମାଛ ନ ନେଇ ସେଠାରେ ଢାଳି ଦେଇଥିଲେ। ଏହାକୁ ନେଇ ଗ୍ରାମ ସଭାପତି ଓ ଗୋଚ୍ଛାୟତ ସାହି ଭଦ୍ର ବ୍ୟକ୍ତିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଫଳରେ ଗ୍ରାମରେ ତୀବ୍ର ଅସନ୍ତୋଷ ସୃଷ୍ଟିହୋଇଥିଲା। ଗୋଚ୍ଛାୟତ ପଡା ଓ ହରିଜନ ସାହିର ଲୋକମାନେ ମାଛ ଭାଗ ନ ନେବାରୁ ବଡବନ୍ଧ ହୁଡାରେ ପ୍ରାୟ ୫୦ କିଲୋରୁ ଅଧିକ ମାଛ ଖବର ଲେଖାହେବା ସୁଦ୍ଧା ପଡିରହିଛି। ଏ ନେଇ ଗୋଚ୍ଛାୟତପଡା ବାସିନ୍ଦା ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ କହିଛନ୍ତି, ଗୋଚ୍ଛାୟତପଡା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଘଟଣାର ତଦନ୍ତ ଚାଲିଛି। ଏ ନେଇ କୌଣସି ମାମଲା ରୁଜୁ ହୋଇ ନାହିଁ। ଗ୍ରାମ ସଭାପତି ମିତ୍ରଭାନୁ ପ୍ରଧାନ କହିଛନ୍ତି, ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ଗୋଚ୍ଛାୟତପଡ଼ା ବାସିନ୍ଦାଙ୍କୁ ବୁଝାଯିବା ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ସେମାନେ ସହଯୋଗ ନ କରି ଥାନାରେ ଅଭିଯୋଗ କରିଛନ୍ତି।