ବିସର୍ଜନ

ବିପ୍ଳବ

କାହାକୁ ଧରାପୃଷ୍ଠରୁ ଅନ୍ତିମ ବିଦାୟ ଦେବାର ମୁହୂର୍ତ୍ତ ଏତେ ଯନ୍ତ୍ରଣାଦାୟକ ଯେ ତାକୁ ଭାଷାରେ ପ୍ରକାଶ କରିବା ସହଜ ନୁହେଁ। ତାକୁ ପ୍ରକାଶିତ କରିବାର ମାଧ୍ୟମ କେବଳ ଅଶ୍ରୁ ହୋଇପାରେ। ଆଉ ଏହି ଅଶ୍ରୁର ଭାଷା କେବଳ ମଣିଷ ବୁଝେନି; ପଶୁ, ପକ୍ଷୀ, କୀଟ, ପତଙ୍ଗ ବି ବୁଝିବାକୁ ସକ୍ଷମ। କାହାକୁ ବିଦାୟ ଦେଇ ଯଦି କିଏ ଆହ୍ଲାଦିତ ହୁଏ, ସେ ହୁଏତ ତା’ର ଶତ୍ରୁ ହୋଇପାରେ ଅଥବା ଅମଣିଷ ହୋଇପାରେ। ସେ ଅମଣିଷ ବି ପଶୁ ସହିତ ତୁଳନୀୟ ନୁହେଁ। କାରଣ ପଶୁ ସ୍ନେହ, ପ୍ରେମର ମୂଲ୍ୟ ବୁଝେ ଆଉ କାହାକୁ ହରେଇ ଦୁଃଖୀ ହୋଇପାରେ। ମଣିଷକୁ ଛାଡ଼ି ଅନ୍ୟ କୌଣସି ଜୀବ କାହାର ଅନ୍ତିମ ବିଦାୟ ବେଳାରେ ଉତ୍‌ଫୁଲ୍ଲିତ ହେବାର ଦେଖାଯାଏ ନାହିଁ। ସେଥିପାଇଁ ବୋଧେ ଚିକେନ୍‌ ଦୋକାନ, ମଟନ୍‌ ଦୋକାନ ଆଉ କଂସେଇଖାନା ଆଗରେ ସଦାବେଳେ ଲମ୍ବା ଧାଡ଼ି ଲାଗିଥାଏ। କାହାର ଶବ ସଂସ୍କାର କାର୍ଯ୍ୟରେ ଆତ୍ମୀୟସ୍ବଜନ, ରକ୍ତ ସମ୍ପର୍କୀୟ ଆଉ ପାଖ ପଡ଼ୋଶୀ ପାଇଁ ଲୋଡ଼ାହୁଏ ନାଲିପାଣି। ଦେବଦେବୀଙ୍କ ବିସର୍ଜନ ବେଳେ ଲୋଡ଼ାହୁଏ ଅଶ୍ଳୀଳ ସଙ୍ଗୀତ, ଉଦଣ୍ଡ ନୃତ୍ୟ ଆଉ ମାତାଲ ମନ।
ଆମ ପୁରାଣ ଶାସ୍ତ୍ରଗୁଡ଼ିକୁ ଦୃଷ୍ଟି ନିକ୍ଷେପ କଲେ ଗୋଟିଏ ନିଷ୍କର୍ଷରେ ପହଞ୍ଚତ୍ପାରିବା ଯେ, ଧରାପୃଷ୍ଠରେ ଅଧିକାଂଶ ଦେବଦେବୀଙ୍କ ଆବିର୍ଭାବ ଆସୁରିକ ଶକ୍ତି ବା ନକାରାତ୍ମକ ଶକ୍ତିର ବିନାଶ ଆଉ ଧର୍ମର ସ୍ଥାପନା ପାଇଁ ହୋଇଥିଲା। ଯୁଗେ ଯୁଗେ ଧର୍ମର ଜୟ ଆଉ ପାପର କ୍ଷୟ, ଏଇ କଥାଟିକୁ ଆମର ବାରମ୍ବାର ସ୍ମରଣ କରେଇବା ପାଇଁ ବର୍ଷସାରା ଆମେ ଅନେକ ପର୍ବପର୍ବାଣି ପାଳନ କରୁ, ଦେବଦେବୀଙ୍କୁ ଆବାହନ କରୁ ଆଉ ତାଙ୍କର ପୂଜାର୍ଚ୍ଚନା କରି ଶେଷରେ ବିସର୍ଜନ କରୁ। କିନ୍ତୁ ଯେଉଁମାନେ ସେଇ ଦେବଦେବୀଙ୍କ ପାଇଁ ଗାଡ଼ି ଅଟକେଇ ଚାନ୍ଦା ଆଦାୟ କରନ୍ତି, ପେଣ୍ଡାଲ ସଜାନ୍ତି, ଦେବଦେବୀଙ୍କ ପ୍ରତିମା ସଜେଇ ବ୍ରାହ୍ମଣ ଡାକି ପ୍ରାଣପ୍ରତିଷ୍ଠା କରାନ୍ତି, ମାଇକ୍‌ ଲଗେଇ ଗୀତ ବଜାନ୍ତି, ପ୍ରତିମା ପଛପଟେ ମାଂସ ଆଉ ସୁରାର ଆୟୋଜନ କରନ୍ତି, ବିସର୍ଜନ ବେଳେ ଅଶ୍ଳୀଳ ସଙ୍ଗୀତ ବଜାନ୍ତି ଆଉ ପ୍ରାଣଘାତୀ ଡିଜେର ତାଳେତାଳେ ମଦ ପିଇ ଉଦଣ୍ଡ ନୃତ୍ୟ କରନ୍ତି, ସେମାନେ କ’ଣ ସେଇ ଦେବଦେବୀଙ୍କ ବିଷୟରେ ଜ୍ଞାନ ରଖିଥାନ୍ତି? ତାଙ୍କ ବିଷୟରେ ସେଇ କିଛି ଦିନ ହେଉ ପଛେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରି ଆଲୋଚନା କରାନ୍ତି କି? ନା ଆସୁରିକ ଶକ୍ତିର ବିନାଶ ପାଇଁ ଯେଉଁମାନଙ୍କର ଆବିର୍ଭାବ, ସେଇମାନଙ୍କ ସାମ୍‌ନାରେ ନିଜ ନିଜ ଆସୁରିକପଣର ପ୍ରଦର୍ଶନ କରାନ୍ତି?
ତୁମର କେହି ଆତ୍ମୀୟସ୍ବଜନ ତୁମଠୁଁ ବିଦାୟ ନେବାବେଳେ ତୁମେ ଦୁଃଖୀ ହୋଇପଡ଼। ଆଖି ଛଳଛଳ କର, ମନ ଭାରାକ୍ରାନ୍ତ ହୋଇଯାଏ, ହୃଦୟ ବତୁରିଯାଏଁ। ତମେ ଭିତରେ ଭିତରେ ଭାଙ୍ଗିପଡ଼, ଅଥଚ ତମ ଦେବଦେବୀଙ୍କ ଅନ୍ତିମ ବିଦାୟ ବେଳରେ ତମେ ବିବେକହୀନ ହୋଇଯାଅ କେମିତି? ମଣିଷପଣିଆର ବିସର୍ଜନ କରିଦିଅ କେମିତି! ଯେଉଁ ଦେବଦେବୀଙ୍କର ପ୍ରାଣ ପ୍ରତିଷ୍ଠା ଲାଗି ମାସ ମାସ ଆଗ୍ରହ ସହକାରେ ଅପେକ୍ଷାକର, ମନ୍ତ୍ରପାଠରେ ପବିତ୍ର କରାଅ, ସେଇମାନଙ୍କ ବିଦାୟବେଳରେ ତମ ଆଖିରେ ଲୁହ ନ ଥାଏ, ଏ କେମିତି ମାନସିକତା ତୁମର? ଏଇଆ କ’ଣ ତୁମ ଧର୍ମ, ତୁମ ବିବେକ ବିଚାର? ତମେ ନିଜେ ଯଦି ନିଜ ଧର୍ମକୁ ସମ୍ମାନ ଦେବନି, ଦେବଦେବୀଙ୍କୁ ସମ୍ମାନ ଦେବନି, ତେବେ ଭିନ୍ନ ସମ୍ପ୍ରଦାୟ ବା ଧର୍ମର ଲୋକ ତୁମ ଦେବଦେବୀଙ୍କୁ କେମିତି ସମ୍ମାନ କରିବେ? ଏ ପ୍ରଶ୍ନ କ’ଣ କାହାକୁ ଆନ୍ଦୋଳିତ କରେନି?
ପ୍ରାକ୍‌ ସ୍ବାଧୀନତା କାଳରେ ହିନ୍ଦୁମାନଙ୍କୁ ଏକଜୁଟ କରିବା ପାଇଁ ବାଲ୍‌ ଗଙ୍ଗାଧର ତିଳକ ଗୋଟିଏ ଯୋଜନା କରିଥିଲେ। ସେଥିପାଇଁ ମହାରାଷ୍ଟ୍ରରେ ସେ ବିନାୟକଙ୍କ ପୂଜା ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଥିଲା ଧର୍ମୀୟ ବାତାବରଣ ସୃଷ୍ଟି କରିବା ସହିତ ହିନ୍ଦୁମାନଙ୍କୁ ସଙ୍ଗଠିତ କରି ଇଂରେଜମାନଙ୍କ ବିରୋଧରେ ଲଢ଼ିବା। ସେଥିପାଇଁ ଆଜି ବୋଧେ ମହାରାଷ୍ଟ୍ରର ଗଣେଶ ପୂଜା ଭାରତ ପ୍ରସିଦ୍ଧ। ହେଲେ ଆଜିର ଯୁବ ସମାଜ ନିଜ ପର୍ବପର୍ବାଣି ପାଳନର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ପୂଜାକୁ ଉପଭୋଗ ସର୍ବସ୍ବ ପର୍ବରେ ବଦଳେଇ ଦେଲେଣି। ସବୁଠି ତା’ର ମନୋରଞ୍ଜନ ଲୋଡ଼ା। ଜୀବନକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀ ବୁଲ, ସିନେମା ଦେଖ, ଯାତ୍ରା ଦେଖ, ମେଲୋଡ଼ି ଦେଖ, ଗୀତ ଶୁଣ ଏ ସବୁ ଠିକ୍‌ ଅଛି। ମନୋରଞ୍ଜନର ଭରପୂର ସୁଯୋଗ ଉପଲବ୍ଧ ଥିବା ବେଳେ ଗୋଟିଏ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କେମିତି ଏମିତି ଶସ୍ତା ଚିନ୍ତା କରିପାରେ ମଣିଷ! ପ୍ରତିଟି ଧର୍ମୀୟ ବାତାବରଣରେ ତା’ର ମଦ ଦରକାର, ଭୋଜି ଦରକାର ଆଉ ପ୍ରତିଟି ବିସର୍ଜନରେ ତା’ର ଦ୍ବିଅର୍ଥବୋଧକ ସଙ୍ଗୀତ ଦରକାର, ଉଦଣ୍ଡ ନୃତ୍ୟ ଦରକାର! ଏ ପ୍ରତିମା ବିସର୍ଜନ ନା ନିଜ ମଣିଷପଣିଆର ବିସର୍ଜନ?
ଆସୁରିକ ଶକ୍ତିର ବିନାଶ ପାଇଁ, ଜଗତର କଲ୍ୟାଣ ପାଇଁ ଯେଉଁମାନଙ୍କର ଆବିର୍ଭାବ; ତମେ ସେଇମାନଙ୍କ ସାମ୍ନାରେ ନିଜର ଆସୁରିକ ଶକ୍ତିର ପ୍ରଦର୍ଶନ କରିବ! ଏହାଠୁ ଦୁର୍ଭାଗ୍ୟପୂର୍ଣ୍ଣ କଥା କ’ଣ ଥାଇପାରେ? ତମେ ଯଦି ମନୋରଞ୍ଜନ ବେଳେ ଧର୍ମକଥା ଚିନ୍ତା କରୁନ, ତେବେ ଧର୍ମକାମରେ ମନୋରଞ୍ଜନ ଚିନ୍ତା କାହିଁକି କରୁଛ? ଗୋଟିଏ ଆଧ୍ୟାତ୍ମିକ ବାତାବରଣ ଯେଉଁ ଶାନ୍ତି, ଯେଉଁ ସୁଖ ପ୍ରଦାନ କରେ ତାହା ଅନେକ ଅଶୁଭ ଚିନ୍ତା ବିସର୍ଜନର କାରଣ ହୋଇଥାଏ। ଅତଏବ କାହାର ବିସର୍ଜନ ଶୋଭାଯାତ୍ରାରେ ମଣିଷପଣିଆର ବିସର୍ଜନ ନ ହେଉ, ଅନ୍ତତଃପକ୍ଷେ ମଣିଷଟିଏ ତା’ ଜୀବନରେ ଏଇ ଗୋଟିଏ ସଂକଳ୍ପ ନେଉ।
ମକୁନ୍ଦପୁର, ବାଙ୍କୀ
ମୋ: ୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଇଁଷିର ଦାମ୍‌ ସର୍ବାଧିକ ୨୩ କୋଟି ଟଙ୍କା ଏବଂ ଏଥିରେ ଏକାଧିକ ରୋଲ୍ସ ରଏସ କିମ୍ବା ମର୍ସିଡିଜ କାର୍‌ କିଣାଯାଇପାରିବ। କେବଳ ଏତିକି ନୁହେଁ ୨୦ଟି...

ସମସ୍ତଙ୍କ ପାଇଁ ସମାନ ଶିକ୍ଷା

ରାଜୀବ କୁମାର ନାୟକ ରତରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ତର୍ଜମା କଲେ ପ୍ରଥମତଃ ଆମେ ଦେଖିବା ଯେ ଶିକ୍ଷା ଏକ ଯୁଗ୍ମ ତାଲିକାର ବିଷୟ। ତେଣୁ...

ଦୁର୍ବଳଙ୍କୁ ଅଣଦେଖା

ଆସନ୍ତୁ, ମେରିଟ୍‌ ବା ଯୋଗ୍ୟତା ବିଷୟରେ ଆଲୋଚନା କରିବା। ସେଥିପାଇଁ ମଧ୍ୟବିତ୍ତବର୍ଗଙ୍କ କଥା ବିଚାରକୁ ନେବା। ଭାରତରେ ଯାହାଙ୍କୁ ମଧ୍ୟବିତ୍ତବର୍ଗ କୁହାଯାଉଛି ସେମାନଙ୍କ ସଂଖ୍ୟା ବହୁତ...

ଏତେ ଲୋଭ କ’ଣ ପାଇଁ

ଏବେ ପ୍ରାୟ ସବୁଦିନ ଖବରକାଗଜ ଲେଉଟାଇଲେ ଆଖିରେ ପଡ଼ୁଛି ‘ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ’ ନ ହେଲେ ‘ଲାଞ୍ଚ ନେଇ ବନ୍ଧାହେଲେ ସରକାରୀ ବାବୁ’ ଇତ୍ୟାଦି...

ମାନବ-ଜୀବଜାତି ସହାବସ୍ଥାନ

ଜନସଂଖ୍ୟାର ବିସ୍ଫୋରଣ, ଅତ୍ୟାଧୁନିକ ଜୀବନଶୈଳୀ, ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବ ଏବଂ ସହରାଞ୍ଚଳର ବିସ୍ତାର ପରିପ୍ରେକ୍ଷୀରେ ମଣିଷ ଓ ବନ୍ୟଜନ୍ତୁଙ୍କ ସମ୍ପର୍କ ଏକ ବିତର୍କର ପ୍ରସଙ୍ଗ...

ବିପରୀତ ନିଷ୍ପତ୍ତି

ଆଗକୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ଇଲେକ୍‌ସନ କମିଶନ ଅଫ୍‌ ଇଣ୍ଡିଆ (ଇସିଆଇ) ଏହି ୨ ରାଜ୍ୟରେ ପୋଲିସ ନିଯୁକ୍ତି ପରିଚାଳନାରେ...

ବିଶ୍ୱ ଖାଦ୍ୟ ସୂଚକାଙ୍କ ଓ ଭାରତ

ତବର୍ଷ ୨୦୨୪ର ବିଶ୍ୱ ଖାଦ୍ୟ ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତରେ କ୍ଷୁଧାର ପରିସ୍ଥିତି ଗମ୍ଭୀର ବୋଲି ଦର୍ଶାଯାଇଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ...

ବିଶ୍ୱାସ ଓ ଅନ୍ଧବିଶ୍ବାସ

ପୁରାତନ ଲୋକକଥାଟିଏ। ଦିନେ ଜଣେ ଗୃହସ୍ଥଙ୍କ ଘରେ ବାର୍ଷିକ ଶ୍ରାଦ୍ଧ ପାଳନ କରାଯାଉଥାଏ। କୁଳ ପୁରୋହିତ ଶ୍ରାଦ୍ଧ ପାଇଁ ସଂଗୃହୀତ ସବୁ ସାମଗ୍ରୀକୁ ଦେଖିସାରି କର୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri