ହୋଲିରେ ନଜର ଆସିଲା କକା-ପୁତୁରାଙ୍କ ମଧ୍ୟରେ ଫାଟ

ଇଟାଓ୍ବା,୧୮।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କକା ଶିବପାଲ ଯାଦବ ଏବଂ ପୁତୁରା ଅଖିଳେଶ ଯାଦବଙ୍କ ଦଳ ଏକତ୍ର ହୋଇଥିଲେ। କିନ୍ତୁ ପ୍ରକୃତରେ କ’ଣ କକା-ପୁତୁରାଙ୍କ ଦୁହେଁ ଏକଜୁଟ ହୋଇଛନ୍ତି କି। କାରଣ ଶୁକ୍ରବାର ଆୟୋଜିତ ହୋଇଥିବା ଏକ ହୋଲି ଉତ୍ସବ କାର୍ଯ୍ୟକ୍ରମରେ ଚିତ୍ର କିଛି ଭିନ୍ନ ପ୍ରକାର ଦେଖିବାକୁ ମିଳିଥିଲା। ଏଥିରେ କକା-ପୁତୁରାଙ୍କ ମଧ୍ୟରେ ଥିବା ଫାଟ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ସୂଚନାଯୋଗ୍ୟ, ସୈଫାଇ ପରିବାରର ସର୍ବେସର୍ବା କୁହାଯାଉଥିବା ମୁଲାୟମ ସିଂ ଯାଦବଙ୍କ ସମେତ ପୁରା ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଉକ୍ତ ମଞ୍ଚରେ କକା ଶିବପାଲ ଓ ପୁତୁରା ଅଖିଳେଶ ମଧ୍ୟ ଉପସ୍ଥିତ ଥିଲେ। ଅଖିଳେଶ ଏବଂ ଶିବପାଲ ପ୍ରାୟ ଦେଢ଼ ଘଣ୍ଟା ଧରି ମଞ୍ଚ ଉପରେ ବସିଥିଲେ। କିନ୍ତୁ କେହି ପରସ୍ପର ସହ କଥାବାର୍ତ୍ତା ହେବା ତ ଦୂରର କଥା ଦୁହେଁ ଦୁହିଁଙ୍କୁ ଅଭିବାଦନ ମଧ୍ୟ ଜଣାଇ ନ ଥିଲେ। ସୂଚନା ମୁତାବକ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ଉପରକୁ ସର୍ବପ୍ରଥମେ ଏସ୍‌ପିର ନେତା ରାମ ଗୋପାଳ ଯାଦବ ପହଞ୍ଚିଥିଲେ। ଏହାପରେ ଅଖିଳେଶ ଯାଦବ ଏବଂ କିଛି ସମୟ ପରେ ପ୍ରଗତିଶୀଳ ସମାଜବାଦୀ ଦଳର ସଭାପତି ତଥା ଏସ୍‌ପି ମେଣ୍ଟର ସାମିଲ ହୋଇଥିବା ଶିବପାଲ ଯାଦବ ପହଞ୍ଚିଥିଲେ। ଶିବପାଲ ମଞ୍ଚରେ ପହଞ୍ଚି ରାମ ଗୋପାଳଙ୍କ ପାଦକୁ ଛୁଇଁ, ହାତ ଯୋଡି ଅଭିବାଦନ ଜଣାଇଥିଲେ। କିନ୍ତୁ ଅଖିଲେଶଙ୍କୁ ଚାହିଁ ବି ନ ଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Share