ଗୋରୁଙ୍କୁ ବ୍ୟାପୁଛି ଏକଟାଙ୍କିଆ ରୋଗ

ସାକ୍ଷୀଗୋପାଳ,୧୬।୬(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର): ସତ୍ୟବାଦୀର କିଛି ଅଞ୍ଚଳରେ ଗୋରୁ ବାଛୁରୀଙ୍କୁ ଏକଟାଙ୍କିଆ ରୋଗ ବ୍ୟାପୁଥିବା ନେଇ ଗୋପାଳକ ଅଭିଯୋଗ କରିଛନ୍ତି। ଗୋରୁଙ୍କୁ ହଠାତ୍‌ ପ୍ରବଳ ଜ୍ୱର ଆସି ପାଟିରୁ ଲାଳ ବାହାରିବା ସହ ଗୋଡ଼ ଫୁଲି ଦରଜ ହୋଇ ଅଚଳ ହେବାରୁ ଗୋରୁ ଖାଦ୍ୟ ଛାଡ଼ି ନିସ୍ତେଜ ହୋଇଯାଉଛନ୍ତି। ଘରେ ହେଉ ନଚେତ୍‌ ବାହାରେ ଯେଉଁଠି ନାଇଁ ସେଇଠି ରାତି ଦିନ ଶୋଇ ପଡୁଛନ୍ତି। ଅନେକ ଜାଗାରେ ବାହାରେ ଥିବା ଗୋରୁଙ୍କ ରକ୍ଷା ପାଇଁ ତାଙ୍କ ଉପରେ ପଲିଥିନ ଘୋଡାଇ ମଶା ଧୂପ ଦେଇ ସାରା ରାତି ଜଗି ବସୁଛନ୍ତି। ଡାକ୍ତରଙ୍କ ଚିକିତ୍ସା ପରେ ଗୋରୁ ସୁସ୍ଥ ହେଉଥିଲେ ମଧ୍ୟ ଦୁହଁାଳିଆ ଗୋରୁ କ୍ଷୀର ଦେଉନାହାନ୍ତି ଓ ଗର୍ଭିଣୀ ଗାଈ ଅଧିକ ବିପଦରେ ପଡୁଥିବା ଜଣାପଡିଛି। ଏହି ରୋଗରେ ଆକ୍ରାନ୍ତ ଛୋଟ ଛୋଟ ବାଛୁରୀ ମଧ୍ୟ ପ୍ରଭାବିତ ହେଉଛନ୍ତି। ଏ ସମ୍ପର୍କରେ ସତ୍ୟବାଦୀ ପ୍ରାଣୀ ଚିକିତ୍ସା ଅଧିକାରୀ ବାଣୀକାନ୍ତ ଖଟୁଆଙ୍କୁ ପଚାରିବାରେ, ଏହି ରୋଗ ସମ୍ପର୍କରେ ସେମାନେ ଅବଗତ ଥିବା କହିଥିଲେ। ଏହି ରୋଗ ହେଉଛି ଏକ ଋତୁଗତ ରୋଗ। ପ୍ରାୟତଃ ଅତ୍ୟଧିକ ରୌଦ୍ର ତାପ ଓ ଜଳବାୟୁ ଗରମ ରହିଲେ ଏହି ରୋଗ ହୋଇଥାଏ। ଗୋରୁଙ୍କୁ ହଠାତ ଜ୍ୱର ଆସିବା ସହ ସେମାନେ ଖାଦ୍ୟ ଖାଇ ନ ଥାଆନ୍ତି। ଏହାର କୌଣସି ସ୍ଥାୟୀ ପ୍ରତିକାର ନ ଥିଲେ ମଧ୍ୟ ଜ୍ୱର ପାଇଁ ଦିଆଯାଉଥିବା ଔଷଧ ଦେଇ ଭଲ କରୁଥିବା କହିଥିଲେ। ଆଗକୁ ଏହି ରୋଗ ଯେଭଳି ଅଧିକ ନ ବ୍ୟାପେ ସେଥିପାଇଁ କର୍ମଚାରୀଙ୍କୁ ଏ ସମ୍ପର୍କରେ ସଠିକି ତଥ୍ୟ ସଂଗ୍ରହ କରିବା ସହ ପୀଡିତ ଗୋରୁଙ୍କ ସମସ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଧ୍ୟାନ ଦେଉଛନ୍ତି। ଏହି ରୋଗରେ ସାରଙ୍ଗ ଯୋଡ଼ି ଅଞ୍ଚଳର ଗୋପାଳକ ବୁଲୁ ବେହେରା, ସୁବା ବେହେରା, ପୂର୍ଣ୍ଣ ବେହେରା, ପଞ୍ଚାନନ ବେହେରାଙ୍କ ଗୋରୁ ଏକଟାଙ୍କିଆ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି।

Share