ଭିନ୍ନକ୍ଷମ ପରିଚୟ ପ୍ରଦାନ କର୍ମଶାଳା

 

ଦେବଗଡ, ୨୫ା୧୨(ଡ଼ି.ଏନ୍‌.ଏ.)-ଦେବଗଡ଼ ଜିଲା ମୁଖ୍ୟ ଡ଼ାକ୍ତରଖାନା ପରିସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭିନ୍ନକ୍ଷମ ପରିଚୟ ପ୍ରଦାନ ନିମନ୍ତେ ଗୁରୁବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧିର କୁମାର ନଇ ଯୋଗଦେଇ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନଇ ଦେବଗଡ ଜିଲାରେ ୫୨୨୨ ଜଣ ଭିନ୍ନକ୍ଷମ ରହିଥିବା ସେମାନଙ୍କ ମଧ୍ୟରୁ ୪୩୬୯ ଜଣ ଭିନ୍ନକ୍ଷମ ଅନଲାଇନ ମାଧ୍ୟମରେ ୟୁଡିଆଇଡି କାର୍ଡ (କେନ୍ଦ୍ର ସରକାରଙ୍କ ପ୍ରଚଳିତ ଭିନ୍ନକ୍ଷମ ପରିଚୟପତ୍ର) ଆବେଦନ କରିଥିବା ବେଳେ ଅଦ୍ୟାବଧି ୧୮୩୫ ଜଣ ପରିଚୟପତ୍ର ପାଇସାରିଥିବା ସୂଚନା ଦେଇଥିଲେ। ଭିନ୍ନକ୍ଷମମାନଙ୍କୁ ତୁରନ୍ତ ପରିଚୟପତ୍ର ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଭିନ୍ନକ୍ଷମ ପରିଚୟପତ୍ର ପ୍ରଦାନର ବ୍ୟବସ୍ଥା କରାଯିବା ପାଇଁ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏହି ପରିଚୟପତ୍ର ସହାୟତାରେ ଭିନ୍ନକ୍ଷମମାନେ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟତୀତ ରାଜ୍ୟ ସରକାରଙ୍କ ସମସ୍ତ ସାମାଜିକ ଯୋଜନାରେ ଉପକୃତ ହୋଇପାରିବେ। ଭିନ୍ନକ୍ଷମମାନଙ୍କୁ ପ୍ରଦାନ କରାଯାଉଥିବା ଏହି ପରିଚୟପତ୍ର କାର୍ଡ (ୟୁଡିଆଇଡି କାର୍ଡ) ପାଇବା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷାକରି ଭିନ୍ନକ୍ଷମଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପରିଚୟ ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଏହି କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ମାସରେ ହିତାଧିକାରୀଙ୍କୁ ଏହି ପରିଚୟପତ୍ର ପ୍ରଦାନ ପାଇଁ ଏହି ଅବସରରେ ନିଷ୍ପତି ନିଆଯାଇଛି ା ଏହି କର୍ମଶାଳାରେ ଜିଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସାଧିକାରୀ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ ସମେତ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଜିଲା କାର୍ଯ୍ୟକ୍ରମ ସହାୟକ, କନିଷ୍ଠ ସହାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ସମଗ୍ର ଶିକ୍ଷା ବିଭାଗର ବି.ଆର୍‌.ଟି.ମାନେ ଉପସ୍ଥିତ ଥିଲେ ା

Share