Categories: ବାଣିଜ୍ୟ

ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଶୁଖିଲା ରାଶନ ବଣ୍ଟନ

ଭୁବନେଶ୍ୱର,୨୯।୬ (ଅଭୟ ଦାଶ): ଓଡ଼ିଶାର ବାଲେଶ୍ୱର ଜିଲା ଅନ୍ତର୍ଗତ ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାର ମୃତକ ଓ ଗୁରୁତର ଆହତଙ୍କ ପରିବାର ସଦସ୍ୟମାନଙ୍କୁ ସହାୟତା ଉଦ୍ୟମ ଜାରି ରଖି ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ପୀଡ଼ିତ ପରିବାରଙ୍କୁ ଶୁଖିଲା ରାଶନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଭଦ୍ରକ ଜିଲାରୁ ଆରମ୍ଭ କରାଯାଇଛି। ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ରିଲିଫ୍‌ ଯୋଜନାର ଏକ ଅଂଶ ଭାବେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଶେଷକରି ପୀଡ଼ିତଙ୍କ ପରିବାରକୁ ୬ମାସର ଶୁଖିଲା ରାଶନ ସାମଗ୍ରୀ ସମେତ ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ଆଶ୍ୱସ୍ତି ପାଇଁ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଫାଉଣ୍ଡେଶନ ପୂର୍ବରୁ ଘୋଷଣା କରିଥିଲା ବେଳେ ଭଦ୍ରକ ସହରରେ ସମ୍ପୃକ୍ତ ଜିଲାର ପୀଡ଼ିତମାନଙ୍କ ପରିବାର ସଦସ୍ୟ ରିଲାଏନ୍ସ ଫାଉଣ୍ଡେଶନଠାରୁ ଶୁଖିଲା ରାଶନ ସାମଗ୍ରୀ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଜରୁରିକାଳୀନ ସେକ୍ସନର ଜିଲା ପ୍ରକଳ୍ପ ଅଧିକାରୀ ଅମ୍ଳାନ କୁମାର ସେନାପତି ଓ ଏସ୍‌ଇଏଡିଏର ସହାୟକ ସଚିବ ଅଞ୍ଜନ କୁମାର ଚାନ୍ଦଙ୍କ ସମେତ ରିଲାଏନ୍ସ ଫାଉଣ୍ଡେଶନ ବିପର୍ଯ୍ୟୟ ପରିଚାଳନା ଟିମ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିଭଳି ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜିଲାରେ ରହିଥିବା ପୀଡ଼ିତଙ୍କ ପରିବାରବର୍ଗଙ୍କୁ ୬ମାସର ଶୁଖିଲା ରାଶନ ରିଲିଫ୍‌ ସାମଗ୍ରୀ ପ୍ରଦାନ କରାଯିବ। ଅପରପକ୍ଷରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ରହିଥିବା ଏହି ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତ ପରିବାରଗୁଡ଼ିକ ଚିହ୍ନଟ କରିବା ଲାଗି ରିଲାଏନ୍ସ ଫାଉଣ୍ଡେଶନ ବିଭିନ୍ନ କର୍ତ୍ତୃପକ୍ଷ ଓ ସରକାରୀ ଏଜେନ୍ସିମାନଙ୍କ ସହ ମିଶି କାର୍ଯ୍ୟ କରୁଛି। ଏହା ପରେ ଘରକୁ ଘର ଯାଇ ପ୍ରତ୍ୟେକଙ୍କର ବ୍ୟକ୍ତିବିଶେଷ ଆବଶ୍ୟକତାର ଅନୁଶୀଳନ କରାଯାଉଛି।

Share