ଭୋଟ ଲାଗି ନକଲି ଭତ୍ତା ବହି ବଣ୍ଟନ

ଦଶରଥପୁର,୧୮ା୨ (ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ରେ ଶୁକ୍ରବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହି ପରିପ୍ରେକ୍ଷୀରେ ବ୍ଲକର ଥାଲକୁଡି ପଞ୍ଚାୟତରେ କେତେଜଣ ପ୍ରାର୍ଥୀ ଭୋଟ ହାତେଇବାକୁ ନକଲି ଭତ୍ତା ବହି ସହ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି। ହିତାଧିକାରୀମାନଙ୍କୁ ଦିଆଯାଇଥିବା ବହିରେ ସରକାରୀ ଷ୍ଟାମ୍ପ କିମ୍ବା ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କ ଦସ୍ତଖତ ନ ଥିବା ଦେଖି ଭତ୍ତାବହି ଗ୍ରହଣ କରିଥିବା ହିତାଧିକାରୀମାନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏନେଇ ବହୁ ହିତାଧିକାରୀ ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭତ୍ତାବହି ସମ୍ପର୍କରେ ପଚାରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଧିକାରୀମାନଙ୍କୁ କୌଣସି ଭତ୍ତା ବହି ପ୍ରଦାନ କରାଯାଇ ନ ଥିବା ସୂଚନା ଦେଇଥିଲେ। ଭୋଟ ପାଇବା ଲାଗି ଭୋଟରଙ୍କୁ ଏଭଳି ମିଥ୍ୟା ପ୍ରରୋଚନା କରାଯାଇଥିବା ଚର୍ଚ୍ଚାର ବିଷୟ ହେଉଛି। ଏହାବାଦ୍‌ ଉକ୍ତ ବହି ସହ ହିତାଧିକାରୀଙ୍କ ପରିବାରର ପ୍ରତି ସଦସ୍ୟଙ୍କୁ ଭୋଟ ପାଇଁ ୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିବା ଜଣାପଡିଛି। ଶତାଧିକ ମିଥ୍ୟା ଭତ୍ତାବହି ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ପୋଥାଳ, ଶରତ କୁମାର ନାୟକ, ସନ୍ନ୍ୟାସୀ ମଲ୍ଲିକ୍‌ ଏବଂ ଜଗନ୍ନାଥ ନନ୍ଦି ପ୍ରମୁଖ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଶରତ ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଅଭିଯୋଗ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଇଥିଲେ। ଏହାପରେ ବିଡିଓ ଶ୍ୱେତା ସ୍ନିଗ୍ଧା ଘଟଣାର ତଦନ୍ତ କରି ହିତାଧିକାରୀଙ୍କଠାରୁ ନକଲି ଭତ୍ତା ବହି ଫେରାଇ ଆଣିଥିବା ସୂଚନା ମିଳିଛି।

Share