ଚାଷୀଙ୍କୁ ଜାପାନୀ ପୋଦିନା ସକର ବଣ୍ଟନ

ନବରଙ୍ଗପୁର,୭ା୨(ବି.ପ୍ର.):  ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ଓସିଏସ୍‌ଆଇଆର୍‌ ଆରୋମା ମିଶନ ପକ୍ଷରୁ ନବରଙ୍ଗପୁର ଜିଲାରେ ଜାପାନୀ ପୋଦିନା ସକର ବଣ୍ଟନ କରାଯାଇଛି। ଜିଲାପାଳ କମଳଲୋଚନ ମିଶ୍ର ୪ ଚାଷୀଙ୍କୁ ଜାପାନୀ ପୋଦିନା ସକର ପ୍ରଦାନ କରିଛନ୍ତି। ଗତବର୍ଷ ୪ ଏକର ଜାଗାରେ ଜାପାନୀ ପୋଦିନା ପରୀକ୍ଷା ମୂଳକଭାବେ ଚାଷ କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ଏକର ପିଛା ୪୦ ଲିଟର ତେଲ ବାହାରିଥିଲା। ଚଳିତବର୍ଷ ୧୦ ଏକର ଜମିରେ ଏହି ଚାଷ କରାଯାଉଛି। ନବରଙ୍ଗପୁର ବ୍ଲକ ଚୁରାହାଣ୍ଡିଠାରେ ୫ ଏକର, ତେନ୍ତୁଳିଖୁଣ୍ଟି ବ୍ଲକର କବାଗୁଡ଼ାଠାରେ ୩ ଏକର, ପାପଡ଼ାହାଣ୍ଡି ବ୍ଲକର ସେମାଳାଠାରେ ୧ ଏକର ଜମିରେ ଚାଷ କରାଯିବ। ଜାପାନୀ ପୋଦିନା ଚାଷ ଦ୍ୱାରା ଏକର ପିଛା ୫୦ହଜାର ଟଙ୍କା ଲାଭ ହେଉଥିବା ବେଳେ ଖର୍ଚ୍ଚ ମାତ୍ର ୧୫୦୦ ଟଙ୍କା ହୋଇଥାଏ। ଜାପାନୀ ପୋଦିନା ତେଲରୁ ପାନ ମସଲା, କଫ ସିରପ୍‌, ଚକୋଲେଟ ସମେତ ବିଭିନ୍ନ ପ୍ରକାର ଔଷଧରେ ବ୍ୟବହାର ହୋଇଥାଏ ବୋଲି କେନ୍ଦ୍ରୀୟ ସୁଗନ୍ଧୀ ଓ ଔଷଧୀୟ ସଂସ୍ଥାନ ଲକ୍ଷ୍ନୌର ପ୍ରଧାନ ବୈଜ୍ଞାନିକ ଡ. ପ୍ରଶାନ୍ତ କୁମାର ରାଉତ କହିିଛନ୍ତି। କାର୍ଯ୍ୟକ୍ରମରେ ଓର୍‌ମାସର ଏ. ଉମା ମହେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ଥିଲେ।