ସିଗାରେଟ ପ୍ୟାକେଟରେ କରତାରପୁର ସାହିବଙ୍କ ପ୍ରସାଦ ବଣ୍ଟନ, ଶିଖ୍‌ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଆଘାତ…

ଲାହୋର/ନୂଆଦିଲ୍ଲୀ, ୧୮।୧୨: ପାକିସ୍ତାନରେ ଶିଖ୍‌ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି। ଏହା ଭାରତ ସମେତ ପୃଥିବୀର ସମସ୍ତ ଶିଖ୍‌ ସମ୍ପ୍ରଦାୟଙ୍କୁ ମର୍ମାହତ କରିଛି। କରତାରପୁରର ଗୁରୁଦ୍ୱାର ଦରବାର ସାହିବରେ ଶ୍ରଦ୍ଧାଳୁମାନଙ୍କୁ ସିଗାରେଟ ପ୍ୟାକେଜିଙ୍ଗ ସାମଗ୍ରୀରେ ନିର୍ମିତ ଡିସପୋଜେବଲ ପେପର ପ୍ଲେଟରେ ପ୍ରସାଦ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି।

ପ୍ରସାଦ ଦିଆଯାଉଥିବା ପ୍ଲେଟଗୁଡ଼ିକରେ ଗୋଟିଏ ପଟେ କରତାରପୁର ତୀର୍ଥସ୍ଥଳର ଚିତ୍ର ଥିବାେବେଳ ଏବଂ ଅନ୍ୟ ପଟେ ସିଗାରେଟ ବ୍ରାଣ୍ଡ ‘ଗୋଲ୍ଡ ଷ୍ଟ୍ରିଟ’ ର ଫଟୋ ରହିଛି। ସୂଚନା ଅନୁଯାୟୀ, କତାରପୁରରେ ପହଞ୍ଚିଥିବା କିଛି ଭକ୍ତ ଏହି ପ୍ରସଙ୍ଗ ଉଠାଇଥିଲେ। ଏନେଇ ପାକିସ୍ତାନ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (ପିଏସଜିପିସି) ଅଧ୍ୟକ୍ଷ ଅମିର ସିଂ କହିଛନ୍ତି ଯେ ତିନି ଦିନ ପୂର୍ବେ ଏହି ମାମଲା ତାଙ୍କ ନଜରକୁ ଆସିଥିଲା। ତଥାପି, ସେ ଏହା କହି ଏଡ଼ାଇବାକୁ ଚେଷ୍ଟା କରିଛନ୍ତି ଯେ ଏହା କିଛି ଅସାମାଜିକ ଲୋକଙ୍କ କାଣ୍ଡ। ସେମାନେ କରତାରପୁର କରିଡ଼ୋର ଖୋଲିବାକୁ ଚାହୁଁନାହାଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସିଂ କହିଛନ୍ତି, ପ୍ରସାଦ ବଣ୍ଟନ କରିବା ପାଇଁ ଆମେ ଏପରି କୌଣସି ପ୍ୟାକେଜିଂ ସାମଗ୍ରୀ ବ୍ୟବହାର କରିନାହୁଁ। ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ। ସେହି ଆଧାରରେ ଆମେ କହିଛୁ ଯେ କେତେକ ଅସାମାଜିକ ଲୋକ ଏଭଳି କରିଛନ୍ତି।
ସେ କହିଛନ୍ତି ଯେ ‘ପିନ୍ନି ପ୍ରସାଦ’ ସାଧା ବ୍ୟାଗରେ ପିଏସଜିପିସି ଦ୍ୱାରା ବଣ୍ଟନ କରାଯାଇଥାଏ। ଅପରପକ୍ଷରେ ଏସଜିପିସି ସଭାପତି ହରିନ୍ଦର ସିଂ ଧାମି କହିଛନ୍ତି ଯେ ଯଦି ଏହା ସତ ତେବେ ଏହା ଦୁଃଖର କଥା। ସେ କହିଛନ୍ତି ଯେ ଆମେ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ସହିତ ଏହି ପ୍ରସଙ୍ଗରେ କଥାବାର୍ତ୍ତା କରିବୁ। ଆମେ ସେମାନଙ୍କୁ ଘଟଣାର ଅନୁସନ୍ଧାନ କରିବାକୁ ଏବଂ ଅପରାଧୀଙ୍କୁ ଚିହ୍ନଟ କରି କଡ଼ା ଦଣ୍ଡାଦେଶ କରିବାକୁ ଅନୁରୋଧ କରିବୁ।

ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ପୂର୍ବତନ ସଭାପତି ତଥା ଭାଜପା ନେତା ମନଜିନ୍ଦର ସିଂ ର୍ସିସା ମଧ୍ୟ ଏହି ଘଟଣାର ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ଏପରି ଏକ ପ୍ଲେଟରେ ପ୍ରସାଦ ପାଇବା ପରେ ଜଣେ ଶ୍ରଦ୍ଧାଳୁ ତାଙ୍କ ମୋବାଇଲ ଫୋନରେ ଏହାର ଫଟୋ ଉଠାଇଥିଲେ। ଏହି କାର୍ଯ୍ୟ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଘୃଣ୍ୟ ମନୋଭୋବକୁ ପ୍ରକାଶ କରିଛି। ସଂଖ୍ୟାଲଘୁମାନଙ୍କୁ ଦମନ କରିବା ଏବଂ ଅପମାନିତ କରିବା ପାଇଁ ଏପରି କରାଯାଇଥିବା ସେ କହିଛନ୍ତି।

ପବିତ୍ର ଶିଖ ଧର୍ମସ୍ଥଳରେ ପ୍ରସାଦ ପାଇଁ ପ୍ଲେଟ ତିଆରି କରିବା ପାଇଁ ସିଗାରେଟର ପ୍ୟାକେଜିଂ ସାମଗ୍ରୀ କିପରି ବ୍ୟବହାର କରାଯାଏ ତାହା ଚିନ୍ତାର ବିଷୟ। ସେ କହିଛନ୍ତି ଯେ ପୂର୍ବରୁ ଜଣେ ପାକିସ୍ତାନୀ ମଡେଲ କତାରପୁର ଗୁରୁଦ୍ୱାର ପରିସରରେ ଏକ ଆପତ୍ତିଜନକ ଫଟୋ ଶୁଟ କରି ଏହାର ପବିତ୍ରତାକୁ ବଦନାମ କରିବାକୁ ଚେଷ୍ଟା କରିଥିଲେ।

 

Share