Categories: ବାଣିଜ୍ୟ

କାନାରା ବ୍ୟାଙ୍କ ପକ୍ଷରୁ ମେଗା ମେଧାବୃତ୍ତି ବଣ୍ଟନ

ଭୁବନେଶ୍ୱର,୧୭।୮: କାନାରା ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର ପକ୍ଷରୁ ଏକ ମେଗା ମେଧାବୃତ୍ତି (କାନାରା ବ୍ୟାଙ୍କ ଡା. ଆମ୍ବେଡ୍‌କର ବିଦ୍ୟାଜ୍ୟୋତି ସ୍କଲାରଶିପ୍‌) ବଣ୍ଟନ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଏବଂ ଜିଲା କଲ୍ୟାଣ ଅଧିକାରୀ (ଛତ୍ରପୁର) ସୁରେଶ ଚନ୍ଦ୍ର ଜିତବାବୁ ପ୍ରମୁଖ ସମ୍ମାନତ ଅତିଥି ଭାବେ ଯୋଗଦେଇ ଏହି ମେଗା ମେଧାବୃତ୍ତି ବଣ୍ଟନ
କରିଥିଲେ। ଏହି ପରିପ୍ରେକ୍ଷୀରେ କାନାରା ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର ମୁଖ୍ୟ ଜି.ଭି.ରଘୁଶେଷୁ ଅତିଥି, ଶିକ୍ଷକ ଏବଂ ଛାତ୍ରୀମାନଙ୍କୁ ସ୍ବାଗତ କରିବା ସହ ଏହି ମେଧାବୃତ୍ତି ଯୋଜନା ଏବଂ କାନାରା ବ୍ୟାଙ୍କ ବିଷୟରେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।
ସେହିଭଳି କାନାରା ବ୍ୟାଙ୍କ ଦ୍ୱାରା ପ୍ରତିବର୍ଷ ଏହି ଯୋଜନା ମାଧ୍ୟମରେ ସରକାରୀ ବିଦ୍ୟାଳୟର ୫ମରୁ ୧୦ମ ଶ୍ରେଣୀରେ ପଢ଼ୁଥିବା ଏସ୍‌ସି/ଏସ୍‌ଟି ବର୍ଗର ଛାତ୍ରୀମାନଙ୍କୁ ଉକ୍ତ ବୃତ୍ତି ପ୍ରଦାନ କରାଯାଇଥାଏ। ଏପରିକି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏସ୍‌ସି/ଏସ୍‌ଟି ସମ୍ପ୍ରଦାୟର ବାଳିକାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଉତ୍ସାହ ପ୍ରଦାନ କରିବା ଏବଂ ଏହାର ନିରନ୍ତରତା ବଜାୟ ରଖିବା। ଉକ୍ତ ମେଗା ଛାତ୍ରବୃତ୍ତି ରାଶି କାନାରା ବ୍ୟାଙ୍କ ଦ୍ୱାରା ଛାତ୍ରୀମାନଙ୍କ ଏସ୍‌ବି ଆକାଉଣ୍ଟକୁ ପ୍ରଦାନ କରାଯାଇଥିଲାବେଳେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ସେମାନଙ୍କର ପାସ୍‌ବୁକ୍‌ଗୁଡିକ ହସ୍ତାନ୍ତର କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର ଡିଭିଜନାଲ ମ୍ୟାନେଜର ଏମ୍‌. ପବନ କୁମାର ଝା, କେ. ସୁରେଶ ରେଡ୍ଡି, ସଂସାଧନ ବିଭାଗ ମୁଖ୍ୟ ପାର୍ଥ ପ୍ରୀତମ ପାଢ଼ୀ, ମାର୍କେଟିଂ ବିଭାଗ ମୁଖ୍ୟ ସତ୍ୟଜିତ ପ୍ରଧାନଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ। ପରିଶେଷରେ ବ୍ୟାଙ୍କର ଉପମହାପ୍ରବନ୍ଧକ ତଥା ବ୍ରହ୍ମପୁର ଶାଖା କାର୍ଯ୍ୟାଳୟ ମୁଖ୍ୟ ରଘୁଶେଷୁ ଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Share