Categories: ଫୁରସତ

କର୍କଟ ରୋଗରୁ ସୁରକ୍ଷା ପାଇଁ ସନ୍‌ସ୍କ୍ରିନ ବଣ୍ଟନ

ଆମଷ୍ଟରଡାମ: ସୂର୍ଯ୍ୟଙ୍କ କ୍ଷତିକାରକ ଅତିବାଇଗଣି ରଶ୍ମି ଆମ ଦେହରେ ପଡ଼ିଲେ ତାହା ଚର୍ମ କର୍କଟ ସହ ଅନ୍ୟ ଚର୍ମ ରୋଗର କାରଣ ହୋଇଥାଏ। ବାୟୁମଣ୍ଡଳରେ ଥିବା ଓଜୋନ ଲେୟାରରେ କଣା ସୃଷ୍ଟି ହେଲେ ସିଧାସଳଖ ସୂର୍ଯ୍ୟଙ୍କ ରଶ୍ମି ଦେହରେ ପଡ଼ିଲେ ତାହା ଚର୍ମ କର୍କଟ କରାଇଥାଏ। ତେବେ ନେଦରଲାଣ୍ଡରେ ଚର୍ମ କର୍କଟ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଇବାକୁ ଲାଗିଛି। ସେଥିପାଇଁ ଡଚ୍‌ ସରକାର ଏହି ସମସ୍ୟାରୁ ଉଦ୍ଧାର କରିବାକୁ ଦେଶର ଲୋକଙ୍କୁ ମାଗଣାରେ ସନ୍‌ସ୍କ୍ରିନ ବାଣ୍ଟୁଛନ୍ତି। ସରକାରଙ୍କ ରିପୋର୍ଟ ମୁତାବକ, ସନ୍‌ସ୍କ୍ରିନକୁ ସ୍କୁଲ, ପାର୍କ, ସ୍ପୋର୍ଟ ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ବଣ୍ଟାଯାଉଛି। ଅଷ୍ଟ୍ରେଲିଆର ସ୍ଲିପ-ସ୍ଲୋପ-ସ୍ଲାପ ସଚେତନତାରୁ ପ୍ରଭାବିତ ହୋଇ ଡଚ୍‌ ନିଜ ଦେଶରେ ମଧ୍ୟ ସଚେତନତା ଶୋଭାଯାତ୍ରା ଆୟୋଜନ କରୁଛି। ସେଠାକାର ଚର୍ମ ବିଶେଷଜ୍ଞଙ୍କ ମତରେ ଚର୍ମ କର୍କଟରୁ ସୁରକ୍ଷା ପାଇବାକୁ ସମସ୍ତେ ସନ୍‌ସ୍କ୍ରିନ୍‌ ବ୍ୟବହାର କରିବା ଉଚିତ। ପିଲାମାନେ ଯଦି ସବୁବେଳେ ସନ୍‌ସ୍କ୍ରିନ୍‌ ବ୍ୟବହାର କରିବେ, ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯିବ। ଏଥିପାଇଁ ଅଧିକ ଟଙ୍କା ହେଲେ ମଧ୍ୟ ଦେହର ସୁରକ୍ଷା ପାଇଁ ସନ୍‌ସ୍କ୍ରିନର ବ୍ୟବହାର କରିବାକୁ ଡଚ୍‌ ସରକାର ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି। ଅଧିକାଂଶ ସମୟରେ ଲୋକେ ନିଜର ସୁରକ୍ଷା ବାବଦରେ ଚିନ୍ତା ନ କରି ଖରାର ମଜା ଉଠାଇଥା’ନ୍ତି। ସେମାନଙ୍କୁ ଚର୍ମ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ। ଏହା ଉଚିତ ନୁହେଁ ବୋଲି କାଟ୍‌ୱିଜ୍‌କ ସହରର ଜାକୋ କ୍ନାପି କହିଛନ୍ତି। ୟୁରୋପରେ ୨ ଦଶନ୍ଧି ହେବ ଚର୍ମ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଧ୍ୟୟୁରୋପରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ସପ୍ତାହରେ ତାପମାତ୍ରା ଅଧିକ ରହିବ ବୋଲି କୁହାଯାଉଛି।

Share