Categories: ବାଣିଜ୍ୟ

କେଭିଆଇସି ପକ୍ଷରୁ ଟୁଲ୍‌ କିଟ୍‌ ବଣ୍ଟନ

ଭୁବନେଶ୍ୱର,୫।୩: ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରି କମିଶନ(କେଭିଆଇସି)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ସୋମବାର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଏକ ମେଗା ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ (କାରିଗର) ମାନଙ୍କୁ ଯନ୍ତ୍ରପାତି ଓ ଟୁଲ୍‌ କିଟ୍‌ ପ୍ରଦାନ କରିଥିଲେ। ଏ ସମ୍ପର୍କରେ କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର କହିଥିଲେ, ସହାୟତା ମାଧ୍ୟମରେ ହିତାଧିକାରୀଙ୍କ ମଧ୍ୟରେ ଉନ୍ନତି ଆଣିବା କେଭିଆଇସିର ମୂଳ ଲକ୍ଷ୍ୟ ହୋଇଥିଲାବେଳେ ସରକାରଙ୍କ ବିଭିନ୍ନ ଯୋଜନା ଓ କେଭିଆଇସିର ପଦକ୍ଷେପଗୁଡିକ ମଧ୍ୟ ହିତାଧିକାରୀଙ୍କ ହିତରେ କରାଯାଉଛି। ସେହିଭଳି ହନି ମିଶନ ଓ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ସେ ଘୋଷଣା କରିଛନ୍ତି। ଏପରିକି କାରିଗରମାନଙ୍କୁ ଯନ୍ତ୍ରପାତି ଓ ଟୁଲ୍‌ କିଟ୍‌ ସହାୟତା ପ୍ରଦାନ କରି ସେମାନଙ୍କର ଦକ୍ଷତାକୁ ସୁଦୃଢ କରିବା ଓ ପାରମ୍ପରିକ ଶିଳ୍ପଗୁଡିକର ବିକାଶ ପାଇଁ ଏକ ଲକ୍ଷ୍ୟ ସହିତ ବିବକ୍ସ, ଇଲେକ୍‌ଟ୍ରିକ ପୋଟର୍ସ ହ୍ବିଲ୍‌, ପେପର୍‌ ମେଶିନ ଓ ସବାଇ ଗ୍ରାସ୍‌ ବ୍ୟାନ୍‌ ନିର୍ମାଣକାରୀ ଟୁଲ୍‌ ବିତରଣ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଖଦି ଇନଷ୍ଟିଟ୍ୟୁଶନ୍ସ ଫେଡରେଶନ ସଚିବ ଗୋପୀନାଥ ଖାଡ଼େଙ୍ଗା, କେଭିଆଇସି ଡେପୁଟି ଚିଫ ଏକ୍‌ଜିକ୍ୟୁଟିଭ ଅଫିସର ଏସ.ଏସ.ସିଲ୍‌ ଏବଂ କେଭିଆଇସି ଭୁବନେଶ୍ୱର ରାଜ୍ୟ ନିର୍ଦ୍ଦେଶକ ଆଇ.ଜୱାହର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Share