ଗୁଣି, ଗାରେଡିକୁ ବିଲୋପ କରିବାକୁ ପ୍ରଶାସନର ଉଦ୍ୟମ

ଛତ୍ରପୁର,୬।୫(ଡି.ଏନ୍‌.ଏ.): ଜିଲାରେ ଗୁଣି ଗାରେଡି, ଡାହାଣୀ ଭଳି କୁପ୍ରଥା ଏବେ ବି ରହିଛି। ଏହାକୁ ନେଇ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଉଛି। ଏହାର ବିଲୋପ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଚେତନତା କରିବାକୁ ସ୍ଥିର କରାଯାଇଛି।

ଏହି ପରିପ୍ରେକ୍ଷୀରେ ‘ଡାହାଣୀ ପ୍ରଥାକୁ ନା କୁହନ୍ତୁ’ ଶୀର୍ଷକ ଗଞ୍ଜାମ ଜିଲାସ୍ତରୀୟ କର୍ମଶାଳା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ ଲିନା କୁମାରୀ ଖେସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମହିଳା ସଙ୍ଘ ଓ ପଞ୍ଚାୟତିରାଜ ପ୍ରତିନିଧିଙ୍କ ସହାୟତା ନେଇ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି

ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପାଧ୍ୟାକ୍ଷା ଏସ୍‌. ରାଜେଶ୍ୱରୀ ଦୋରା ଯୋଗଦେଇ ଗଞ୍ଜାମ ଜିଲାରେ ଗୁଣି, ଗାରେଡିକୁ ନେଇ ଚାଲିଥିବା ଅନ୍ଧ ବିଶ୍ୱାସ ରୋକିବା ଦିଗରେ ଗଞ୍ଜାମ ଜିଲା ପ୍ରଶାସନର ଏଭଳି ପ୍ରୟାସକୁ ପ୍ରଶଂସା କରିବା କରିଥିଲେ। ଏପରି କି ଏହାକୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଏବଂ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ l ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।