ଜିଲା ଶିଶୁ ସୁରକ୍ଷା ଅଧିକାରୀ ବହିଷ୍କୃତ

ବାଲେଶ୍ୱର ଅଫିସ, ୧୦ା୨:ବାଲେଶ୍ୱର ସହର ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଉତ୍କଳ ବାଳାଶ୍ରମରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଦାୟିତ୍ୱରେ ଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଯୁବକ ମାଝିଙ୍କୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଚାକିରିରୁ ବହିଷ୍କୃତ କରିଛନ୍ତି। ଏହି ନିର୍ଦ୍ଦେଶ ପାଇବା ପରେ ଜିଲାପାଳଙ୍କ ଅଫିସ୍‌ରୁ ଇମେଲ୍‌ ଯୋଗେ ଡିସିପିଓ ମାଝିଙ୍କୁ ହସ୍ତାନ୍ତର କରାଯାଇଥିବା ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ସୂଚନା ଦେଇଛନ୍ତି।
ଉତ୍କଳ ବାଳାଶ୍ରମରେ ବ୍ୟାପକ ହେରଫେର ଓ ଆର୍ଥିକ ଅନିୟମିତତା ବାବଦରେ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ଅଭିଯୋଗକ୍ରମେ ତଦନ୍ତ ପରେ ଦାୟିତ୍ୱରେ ଥିବା ଡିସିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଥିଲା। ଡିସିପିଓ ମାଝି ବାଳାଶ୍ରମର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ସମୟରେ ଟେଣ୍ଡରଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ଯୋଗାଣ ବାବଦ ବିଲ୍‌ ପୈଠ ହେବା, ୨୦୧୭ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ଉତ୍କଳ ବାଳାଶ୍ରମକୁ ଯୋଗାଉଥିବା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ କିଛି ଦ୍ରବ୍ୟ ବାବଦ ବିଲ୍‌ରେ ବ୍ୟାପକ ଅନିୟମିତତା, ୨୦୨୦ରେ ବାଳାଶ୍ରମ ଆକାଉଣ୍ଟରୁ ୮୬ହଜାର ଟଙ୍କା ଅନ୍ୟଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବା ଏବଂ ଟେଣ୍ଡରଠାରୁ ଅଧିକ ମୂଲ୍ୟରେ ରିଫାଇନ ତେଲ କ୍ରୟ, ବେଡ଼ସିଟ୍‌, ତକିଆ ଖୋଳ, କମ୍ବଳ ଟେଣ୍ଡରଠାରୁ ଅଧିକ ମୂଲ୍ୟରେ କ୍ରୟ ଆଦିର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ ଅତିରିକ୍ତ ଜିଲାପାଳ କରିବା ପରେ କିଛି ଅନିୟମିତତା ହୋଇଥିବା ପ୍ରମାଣ ମିଳିଥିଲା। ଜିଲାପାଳଙ୍କୁ ଅବଗତ ପରେ ରିପୋର୍ଟ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ପଠାଯାଇଥିଲା। ଉକ୍ତ ରିପୋର୍ଟ ଅନୁଯାୟୀ ବିଭାଗୀୟ ଅତିରିକ୍ତ ସଚିବ ମାଝିଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି।