ବରଗଡ଼ ଅଫିସ,୧୫।୮: ବରଗଡ ଜିଲା ଜର୍ଜ ହାଇସ୍କୁଲ ପଡିଆରେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ ସହିତ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ। ସହିଦ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ ସହିତ କରୋନା ମୁକାବିଲାରେ ନିୟୋଜିତ ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଜିଲାପାଳ ପ୍ରଧାନ ନିଜ ଅଭିଭାଷଣରେ ଉତ୍ସାହିତ କରିଥିଲେ। ଏହା ସହିତ ପ୍ଲାଜମା ଦାନ କରିଥିବା କଟାପାଲି ଗ୍ରାମର ଦୁଇଜଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସରସତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷୟିତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଏସ୍ପି ପଦ୍ମିନୀ ସାହୁ, ଅତିରିକ୍ତ ଜିଲାପାଳ ମିର୍ଧା ଟପ୍ପୋଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Posted inଆମ ଜିଲା ଖବର, ବରଗଡ଼, ସ୍ୱାଧୀନତା ଦିବସ