ନିର୍ବାଚନ ରାଲିରେ ଯାଇଥିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ବୌଦ୍ଧ,୧୩।୪(ଅଜିତ ବାରିକ): ଏକ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେଇଥିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲାରେ। ବୌଦ୍ଧ ଜିଲାପାଳ ଜେ. ସୋନାଲ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଶିକ୍ଷୟିତ୍ରୀ ହେଲେ ବୌଦ୍ଧ ବ୍ଲକ ଅଧୀନ ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ।

ସୂଚନା ମୁତାବକ, ଦୁଇ ଦିନ ତଳେ ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନମଣ୍ଡଳୀ ପଲଶପାଟରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବାଇକ୍‌ ରାଲି କରାଯାଇଥିଲା। ଉକ୍ତ ରାଲିରେ ସମ୍ପୃକ୍ତା ଶିକ୍ଷୟିତ୍ରୀ ଯୋଗ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏପରି କି ଏହାର ଏକ ଫଟୋ ମଧ୍ୟ ଜିଲାପାଳଙ୍କ ଦୃଷ୍ଟିକୁ ଆସିଥିଲା। ଏନେଇ ଜିଲାପାଳ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରାଙ୍କୁ ଜ଼ିଲାପାଳ ନିଲମ୍ବନ କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ହୋଇଛି।

Share